‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ପାଣ୍ଡିଆନ

Above Post Content

ଭୁବନେଶ୍ୱର: ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ । ଏବେ ତାଙ୍କୁ ମିଳିଛି ନୂଆ ନିଯୁକ୍ତି । ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାଯାଇଛି । ସୋମବାର ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଏହି ନୁଆ ଦାୟିତ୍ୱ ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ହୋଇଥିଲେ ଉପଜିଲ୍ଲାପାଳ

After 2nd paragraph post ads
Middle post content

ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ୨୦୦୦ ସେପ୍ଟେମ୍ବର ୭ରୁ ୨୦୦୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ତାଲିମ ନେଇଥିଲେ । ଆଇଏଏସ୍ ତାଲିମ ଶେଷ ହେଲା ପରେ ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ । ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୦୪ ମାର୍ଚ୍ଚ ୧ରୁ ଜୁନ୍ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ । ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ

୨୩ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ । ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା । ଏହାପରେ ୨୦୧୯ ମସିହାରେ ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ସେ ରାଜ୍ୟର ପ୍ରତି ଜିଲ୍ଲାକୁ ଗସ୍ତ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ଲାଗି ନିଜେ ସେମାନଙ୍କ ଗହଣକୁ ଯିବା ଘଟଣାକୁ ନେଇ ସେ ବିରୋଧୀ ଦଳର ସମାଲୋଚନାର ଶିକାର ହୋଇଥିଲେ । ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସେ ପ୍ରତିଟି ସଭାରେ ବକ୍ତବ୍ୟ ରଖୁଥିଲେ । ତେବେ ସୋମବାର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ୨୩ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami