ଆରପାରିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

Above Post Content

ଭୁବନେଶ୍ୱର: ଆରପାରିରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ସ୍ୱରୂପ ନାୟକ । ଦୀର୍ଘଦିନ ଧରି ସେ କ୍ୟାନ୍ସରରେ ପୀଡିତ ଥିଲେ । ଆଉ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ପାଇବା ପରେ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବା ପାଇଁ ହସପିଟାଲରେ ପହଞ୍ôଚଛନ୍ତି । ମୃତ୍ୟୁ ଖବର ପାଇବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶନା

After 2nd paragraph post ads
Middle post content

୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ସ୍ୱୂରୂପ । ୧୯୬୨ରେ ମୁକ୍ତିପ୍ରାପ୍ତ ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ବଡ଼ ହେବା ପରେ ସ୍ୱରୂପ ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଆଦି ସମେତ ବେଶ୍ କେତୋଟି ଫିଲ୍ମରେ ଅଭିନେତା ଭାବେ ନଜର ଆସିଥିଲେ । ହେଲେ ସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେ ଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଛନ୍ତି । ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ହେଲା ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଛନ୍ତି ସ୍ୱରୂପ । ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ଅନ୍ୟତମ ସ୍ରଷ୍ଟା ଭାବେ ବେଶ ପରିଚିତ ଥିଲେ । ଓଡ଼ିଆ, ବଙ୍ଗଳା, ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି- ଲାଲପାନ ବିବି, ବଗଲା ବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, କିଏ ହେବ ଶୁଆ ପୋଷିଲେ, ଶୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରି ଭିତରେ ଶାରୀ, ମୋ’ କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ୱାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍‌ନା ହାତ୍ ଜଗନ୍ନାଥ ଆଦି ।

ଏକାଧିକ ବାର ପାଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ସେ ଏକ ଫିଲ୍ମ ପରିବାରରୁ ଆସିଥିଲେ । ତାଙ୍କର ବଡ଼ ଭଉଣୀ ପାର୍ବତୀ ଘୋଷ ରାଜ୍ୟର ଜଣାଣୁଣା ଅଭିନେତ୍ରୀ, ନିର୍ମାତ୍ରୀ ଓ ନିର୍ଦ୍ଦେଶିକା ହୋଇଥିବା ବେଳେ ବଡ଼ ଭାଇ ସାରଦା ପ୍ରସନ୍ନ ନାୟକ ଜଣେ ପ୍ରତିଷ୍ଠିତ ଗୀତିକାର ଓ ସିନେ-ନିର୍ଦ୍ଦେଶକ । ଉଭୟ ବଡ଼ଭାଇ ଓ ଭଉଣୀ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପି ଅବଦାନ ଲାଗି ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ଲାଭ କରିଛନ୍ତି । ସେହପରି ସ୍ୱରୂପ ନାୟକ ମଧ୍ୟ ସ୍ୱକୀୟ ପ୍ରତିଭା ଲାଗି ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ । ସେ ଟି. ସୌରୀ, ଇରା ମହାନ୍ତି, ତପୁ ମିଶ୍ର, କୁମାର ବାପି, ପମି , ସୁଜିତ ଭୋଇ, ଶୁଭାଶିଷ ମହାକୁଡଙ୍କ ଭଳି ପ୍ରତିଭାବାନ ଗାୟକଗାୟିକାଙ୍କୁ ଚଳଚ୍ଚିତ୍ର ସଂଗୀତକୁ ପ୍ରବେଶ କରାଇଥିଲେ । ସେ ତାଙ୍କ ସଂଗୀତ ନିର୍ଦ୍ଦେଶିତ ଅଧିକାଂଶ ଓଡ଼ିଆ ଫିଲ୍ମରେ ବାହାର କଣ୍ଠଶିଳ୍ପୀଙ୍କୁ ନ ନେଇ ଓଡ଼ିଆ କଳାକାରମାନଙ୍କୁ ସୁଯୋଗ ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami