ହୋଲିରେ ମଦ ପିଇ ଗାଡ଼ି ଚଲାଇଲେ ଉଠାଇ ନେବ ପୋଲିସ

Above Post Content

ଭୁବନେଶ୍ୱର : ଆଉ ମାତ୍ର ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ଏହାକୁ ନଜରରେ ରଖି କମିସନରେଟ୍ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଯେପରି ଶାନ୍ତି ଶୃଙ୍ଖଳାରେ ରାଜଧାନୀବାସୀ ହୋଲି ପାଳନ କରିବେ ସେଥିଲାଗି ପୋଲିସ ସଜାଗ ହୋଇ ଉଠିଛି । ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖିବାକୁ ସମସ୍ତ ଜୋନ୍ ଏସିପି ଓ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି । ଯଦି କୌଣସି ବ୍ୟକ୍ତି ମଦ ପିଇ ଗାଡ଼ି ଚଲାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେନେଇ ଡିସିପି ପ୍ରତୀକ ସିଂ ସବୁ ଥାନା ଅଧିକାରୀ ଏବଂ ଏସିପିଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି ।

୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

After 2nd paragraph post ads
Middle post content

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ହୋଲି ଦିନ ରାଜଧାନୀରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ସହରର ପ୍ରତି ଛକରେ ପୋଲିସ ଏହି ବ୍ଲକିଂ ଏବଂ ଚେକିଂ କରିବ । ବିଶେଷକରି ନିଶାସକ୍ତଙ୍କ ଉପରେ କଡ଼ା ନଜର ରଖାଯିବ । ଯେଉଁମାନେ ମଦ ପିଇ ଗାଡ଼ି ଚଲାଇବେ ସେମାନଙ୍କୁ ପୋଲିସ ଉଠାଇ ନେଇ ଗାଡ଼ି ଜବତ କରିବା ସହ ତାଙ୍କୁ ଅଟକ ରଖିବ । ଆହୁରି ମଧ୍ୟ ହୋଲି ଦିନ ଗଣ୍ଡଗୋଳ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସେହିଦିନ ପିସିଆର ଭ୍ୟାନ୍ ଏବଂ ବ୍ରିଟ୍ ପାଟ୍ରୋଲିଂ ଟିମ୍ ସହରର ଗଳିକନ୍ଦିରେ ପଇଁତରା ମାରିବ । ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ କରାଯାଇଛି । ନିଜ ନିଜ ଥାନା ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରିବା ସହ ସେମାନେ ମଧ୍ୟ ପୋଲିସ ଗାଡ଼ିରେ ବୁଲିବେ ।

ପୋଖରୀ, ନଦୀପଠାରେ ଜଗିବ ପୋଲିସ

ହୋଲିରେ ନଦୀରେ ଗାଧୋଇବା ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ତେଣୁ ରାଜଧାନୀର ବଡ଼ ପୋଖରୀ ଏବଂ କୁଆଖାଇ ନଦୀ ପଠାରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ । ଯଦି କିଛି ଅଘଟଣ ଘଟେ ସେମାନେ ଏହାକୁ ତୁରନ୍ତ ପ୍ରତିହତ କରିବେ । ଏଥର କିନ୍ତୁ ପୋଲିସ ରସାୟନିକ ରଙ୍ଗରେ ହୋଲି ଖେଳିବାକୁ ବାରଣ କରିଛି । ଯଦି କୌଣସି ଦୋକାନୀ ରସାୟନିକ ରଙ୍ଗ ବିକ୍ରି କରନ୍ତି ତେବେ ପୋଲିସ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିସନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । କେବଳ ହର୍ବାଲ୍ ରଙ୍ଗରେ ହୋଲି ଖେଳିବାକୁ ପୋଲିସ ଲୋକଙ୍କୁ ସଚେତନ କରିଛି । କାରଣ ରାସାୟନିକ ରଙ୍ଗ ଶରୀର ପ୍ରତି କ୍ଷତି କାରଣ ହୋଇଥିବାରୁ ପୋଲିସ ଏହାକୁ ବାରଣ କରିଛି । ଯେଉଁମାନେ ବିକ୍ରି କରିବେ ଟିମ୍ ଚଢ଼ଉ କରି ରଙ୍ଗ ଜବତ କରିବେ ବୋଲି ଡିସିପି ସୂଚନା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami