ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ପନ୍ଦନ ନବୀନ

Above Post Content

ଭୁବନେଶ୍ୱର: ନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦୀ ଜନନାୟକ । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ପନ୍ଦନ । ନମ୍ର, ନିରବ, ପ୍ରବୀଣ, ଦୃଢପ୍ରତିଜ୍ଞ ଦୂରଦ୍ରଷ୍ଟା । ଓଡ଼ିଶା ବିକାଶର ମଙ୍ଗୁଆଳ । ସଫଳ ରାଜନେତା, ଜନପ୍ରିୟ ମୁଖ୍ୟମନ୍ତ୍ରୀ । ସାରା ବିଶ୍ୱରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ବିଜୁ ପଟ୍ଟନାୟକ ରାଜ୍ୟ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାଙ୍କ ସୁପୁତ୍ର ୨୪ ବର୍ଷ ଶାସନ କରିଥିଲେ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳକୁ ବହୁମତ ନ ମିଳିବା ଯୋଗୁ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି ।

୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ ନବୀନ

After 2nd paragraph post ads

ନିର୍ବାଚନରେ ବିଜେଡ଼ିକୁ ମାତ୍ର ୫୧ଟି ଆସନ ମିଳିଥିବା ବେଳେ, ବିଜେପିକୁ ୭୮ଟି ଆସନ ମିଳିଛି । ବିଜୁ ବାବୁଙ୍କ ଦାୟାଦ ଭାବେ ନବୀନ ଓଡିଶାକୁ ନିରବିଚ୍ଛିନ୍ନ ଭାବେ ସୁଶାସନ ଦେଇଆସିଥିଲେ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । ଆଉ ବନିଗଲେ ଓଡ଼ିଶାବାସୀଙ୍କ ଅତି ଆପଣାର । ସମୟ ଏମିତି ଆସିଛି, ନବୀନଙ୍କୁ ବାଦ ଦେଇ ଓଡିଶା ଶାସନର କଥା ଚିନ୍ତା କରାଯାଇପାରିନାହିଁ । ତେବେ ପରିବର୍ତ୍ତିତ ପରିସ୍ଥିତିରେ ନବୀନଙ୍କୁ ଆଜି ସରକାରରୁ ହଟିବାକୁ ପଡିଛି ।

Middle post content

ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ

୨୪ ବର୍ଷ ଲୋକଙ୍କ ଭଲ ପାଇବା ପ୍ରତିବଦଳରେ ନବୀନ ମଧ୍ୟ ନିଜର ସବୁ ସୁଖ ସ୍ୱାଚ୍ଛନ୍ଦକୁ ଆଡେଇଦେଇ ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ନବୀନ ଥିଲେ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାରସ୍ୱତ ସାଧକ । ୧୯୮୫ରୁ ୧୯୯୩ ମଧ୍ୟରେ ସେ ଚାରୋଟି ବହି ଲେଖିଛନ୍ତି । ୧୯୮୩ରେ ନବୀନଙ୍କ ପରିଚୟ ହୋଇଥିଲା ଆମେରିକାର ପୂର୍ବତନ ପ୍ରଥମ ମହିଳା ଜାକଲିନ କେନେଡିଙ୍କ ସହ । ଉଭୟ ମିଳିତ ଭାବେ ଦୁଇଟି ବହି ଲେଖିଥିଲେ । ନବୀନଙ୍କ ଲିଖିତ ଏ-ସେକେଣ୍ଡ ପାରାଡାଇଜ୍‌, ଏ-ଡେଜାର୍ଟ କିଙ୍ଗଡମ୍‌, ଦ ଗାର୍ଡେନ ଅଫ ଲାଇଫ ଭଳି ପୁସ୍ତକ ବିଶ୍ୱ ଦରବାରରେ ବେଶ ଆଦୃତ ହେବା ସହ ବେଷ୍ଟ ସେଲରର ମାନ୍ୟତା ପାଇଛି । ନବୀନ ଜଣେ ଅତି ଭ୍ରମଣପ୍ରିୟ ବ୍ୟକ୍ତି । ରାଜନୀତିକୁ ଆସିବା ପୂର୍ବରୁ ନିଜ ବନ୍ଧୁମାନଙ୍କ ସହ ଦେଶ ବିଦେଶର ବହୁ ଅଞ୍ଚଳ ବୁଲିଛନ୍ତି । ୧୯୮୮ରେ ଦି ଡିସିଭର୍ସ ନାମକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ, ନବୀନ ଜଣେ ଭଲ ଚିତ୍ରକର ମଧ୍ୟ । ଏବେ ବି ଫୁରସତ ମିଳିଲେ ନବୀନ ଚିତ୍ର ଆଙ୍କନ୍ତି । ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ବଡ଼ ଦିଗ ହେଉଛି ସେ କମ କୁହନ୍ତି । ନବୀନ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସତ ହେଲେ ଆଜି ମଧ୍ୟ ଓଡ଼ିଶାରେ ତାଙ୍କ ସମକକ୍ଷ ନେତା ନାହାଁନ୍ତି କି ଓଡିଶାବାସୀ ବି ନବୀନଙ୍କ ପରି ଭଲ ନେତା ପାଇବେ ନାହିଁ ।

ଓଡ଼ିଶାବାସୀ ତାଙ୍କ ପ୍ରଶଂସାରେ ଶତମୁଖ

୧୯୯୭ ଡିସେମ୍ବର ୨୬ ତାରିଖରେ କିଛି ବିଜୁ ଅନୁଗତଙ୍କୁ ନେଇ ଗଠନ ହୋଇଥିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ୧୯୯୯ ମହାବାତ୍ୟା ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡିଶାବାସୀ ଭରସା କଲେ ନବୀନ ପଟ୍ଟନାୟକଙ୍କୁ । ନବୀନ ମଧ୍ୟ ଓଡିଶାବାସୀଙ୍କୁ ଭେଟିଦେଲେ ଦୁର୍ନୀତିମୁକ୍ତ, ସ୍ୱଚ୍ଛ, ଲୋକାଭିମୁଖୀ ଶାସନ । ସିଏ ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ପ୍ରଶାସକ । ଦୁର୍ନୀତିର ଛିଟା ପଡିବା ମାତ୍ରେ କାର୍ଯ୍ୟାନୁଷ୍ଠାନ । ଗତ ୨୫ ବର୍ଷରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡିଛନ୍ତି ନବୀନଙ୍କ ଶୂନ୍ୟ ସହନଶୀଳତା ନୀତି ଆଗରେ । ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ ହାର ବଢିଥିଲା । ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଢିଥିଲା । ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା । ୨୦୧୪ରେ ବିଜେଡିର ଭୋଟ ହାର ୪୩.୪ ଏବଂ ୨୦୧୯ରେ ୪୪.୭୧ ପ୍ରତିଶତକୁ ବଢିଥିଲା । ତେବେ ଚଳିତ ନିର୍ବାଚନରେ ଭୋଟ ହାର ୪୦ ପ୍ରତିଶତକୁ ଖସି ଆସିବା ଫଳରେ ଦଳର ଆସନ ସଂଖ୍ୟା ୫୧କୁ ଖସି ଆସିଥିଲା । ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ମଧ୍ୟ ଓଡ଼ିଶାବାସୀ ତାଙ୍କ ପ୍ରଶଂସାରେ ଶତମୁଖ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami