ନିର୍ବାଚନ ମଇଦାନକୁ ଓହ୍ଲାଇଲେ ରଚନା ବାନାର୍ଜୀ

କୋଲକାତା: ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଟିଏମସି ଆଜି ନିଜ ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି । ଏହି ଲିଷ୍ଟରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ତେବେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏହି ତାଲିକା ଖୁସି ଆଣିଦେଇଛି । କାରଣ ବହୁ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ରଚନା ବାନାର୍ଜୀ(ବନ୍ଦୋପାଧ୍ୟୟ)ଙ୍କୁ ଟିଏମସି ହୁଗଳିରୁ ପ୍ରାର୍ଥୀ କରିଛି । ଆଜି ତାଙ୍କ ନାମ ଘୋଷଣା ହେବା ପରେ ସେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ କର୍ମୀମାନଙ୍କୁ ଭେଟିଥିଲେ । ଗୋଟେ ସମୟରେ ଓଲିଉଡ୍‌ରେ ଚହଳ ସୃଷ୍ଟି କରିଥିବା ନାୟିକା ହେଉଛନ୍ତି ରଚନା ବାନାର୍ଜୀ । ଯଦିଓ ସେ ନିଜ ମାତୃଭାଷା ବଙ୍ଗଳାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ମାତ୍ର ତାଙ୍କୁ ବିଶେଷ ସଫଳତା ଓଲିଉଡ୍‌ରୁ ହିଁ ମିଳିଛି । ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତାଙ୍କର ଜବରଦସ୍ତ ଯୋଡ଼ିକୁ ଆଜି ବି ଝୁରି ହୁଅନ୍ତି ଓଡ଼ିଶାର ଦର୍ଶକ ।

ଓଲିଉଡ଼ରୁ ପାଇଛନ୍ତି ବିଶେଷ ସଫଳତା

ରଚନା ବାନାର୍ଜୀ ପ୍ରଥମେ ୧୯୯୪ ମସିହାରେ ‘ସାଗର ଗଙ୍ଗା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ଦେଇଥିଲେ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ତା’ପରେ ପରେ ସେ ‘ଭାଇ ହେଲା ଭଗାରୀ’, ‘ସୁଭଦ୍ରା’, ‘ଯଶୋଦା’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ଗଙ୍ଗା ଯମୁନା, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର’, ‘ସନ୍ତାନ’ ‘ସାଗର ଗଙ୍ଗା’ ଆଦି ବହୁ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ‘ସକଳ ତୀର୍ଥ ତୋ ଚରଣେ’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତିଙ୍କ ସହ ନଜର ଆସି ଦର୍ଶକଙ୍କୁ ବିମୋହିତ କରିଥିଲେ ରଚନା । ତାଙ୍କର ଉଲ୍ଲେଖନୀୟ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପ୍ରତିଦାନ’, ‘ତପସ୍ୟା’, ‘ଅମୋଦିନୀ’, ‘ସବୁଜ ସାଥୀ’ ପ୍ରମୁଖ । ସେ ଓଡ଼ିଆ, ବଙ୍ଗଳା ବ୍ୟତୀତ ବହୁ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ବି ନଜର ଆସିଛନ୍ତି । ବଲିଉଡ୍‌ର ସେହେନ୍ସା ଅମିତାଭ ବଚ୍ଚନଙ୍କ ସହ ରଚନା ‘ସୂର୍ଯ୍ୟୋବଂଶମ୍‌’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । କୋଲକାତାରେ ଜନ୍ମ ହୋଇଥିବା ରଚନା କୋଲକାତାରେ ହେଉଥିବା ୧୯୯୪ ମସିହାରେ ‘ମିସ୍ କୋଲକାତା’ ହେବା ସହ ଦେଶର ୫ଟି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।

ollywood actress rachana banarjeerachana banarjee will stand from hoogly
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami