2030 ବେଳକୁ ଅମରତ୍ୱର ପ୍ରଥମ ପାହାଚ ଅତିକ୍ରମ କରିବ ମଣିଷ, 2045ରେ ହେବ ମୃତ୍ୟୁର ମୃତ୍ୟୁ

ଅମରତ୍ୱର ସନ୍ଧାନ କାହିଁ କେଉଁ କାଳରୁ ଚାଲି ଆସିଛି। ମୃତ୍ୟୁ ଉପରେ ବିଜୟ ମାନବର ଆଦିମ ଇଛା। ମୃତ୍ୟୁକୁ ନେଇ ଅନେକ ମିଥକ ଓ କିମ୍ବଦନ୍ତି। ଆରପାରି ଯାତ୍ରାକୁ ନେଇ ରହିଛି ଅନେକ କଥା ଓ କାହାଣୀ। ଅନେକ ସଭ୍ୟତାରେ ମଣିଷର ମୃତ୍ୟୁରେ ତା ଶବ ସହିତ ଟଙ୍କା ପଇସା ରଖାଯାଉଥିଲା ଏଇଥିପାଇଁ ଯେ, ଆରପାରିକୁ ଯାତ୍ରା ବେଳେ ଯେପରି ତା ପାଖରେ ଭଡ଼ା ପାଇଁ ଅର୍ଥ ଥିବ। ଏବେ କିନ୍ତୁ ବୈଜ୍ଞାନିକଙ୍କ ବିଶ୍ୱାସ ଯେ, ଆଗାମୀ 7 ବର୍ଷ ଭିତରେ ମାନବ ମୃତ୍ୟୁ ଉପରେ ପ୍ରାରମ୍ଭିକ ବିଜୟ ପାଇଯିବ। ଗୁଗଲର ଜଣେ ପୂର୍ବତନ ବୈଜ୍ଞାନିକ ତଥା ଭବିଷ୍ୟବକ୍ତା ଦାବି କରିଛନ୍ତି ଯେ, 2030 ବେଳକୁ ଆମେ ମୃତ୍ୟୁ ଉପରେ ବିଜୟ ପାଇଯିବ।

କିଏ ଏହି ବୈଜ୍ଞାନିକ

ପୂର୍ବତନ ଗୁଗୁଲ ଇଂଜିନିୟର ରୟ କୁର୍ଜବିଲ୍ ସାତ ବର୍ଷ ପରେ ମଣିଷ ଅମର ହେବା ନେଇ ଭବିଷ୍ୟବାଣୀ କରିଛନ୍ତି । ତାଙ୍କର ୮୬ ପ୍ରତିଶତ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ତାଙ୍କର ଦାବି ଅନୁଯାୟୀ, ସାତ ବର୍ଷ ପରେ ମଣିଷ ଅମର ହୋଇଯିବ। ଅର୍ଥାତ୍ ୨୦୩୦ ସୁଦ୍ଧା ମଣିଷ ଅମରତ୍ୱ ହାସଲ କରିବ। ବୈଜ୍ଞାନିକ ଜଣକ କହିଛନ୍ତି ଯେ ବିଶ୍ୱରେ ଦିନକୁ ଦିନ ବଡ଼ ଧରଣର ବୈଷୟିକ ପରିବର୍ତ୍ତନ ଘଟୁଛି। ଯାହା ସିଧାସଳଖ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତେବେ କୁର୍ଜବିଲ ପୂର୍ବରୁ ମଧ୍ୟ ଏପରି ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଛି। 1999ରେ ତାଙ୍କୁ ନ୍ୟାସନାଲ ମେଡାଲ ଅଫ୍ ଟେକ୍ନୋଲୋଜିର ସମ୍ମାନ ମିଳିଥିଲା। 2005ରେ ସିଙ୍ଗୁଲାରିଟି ଇଜ୍ ନିୟର ନାମକ ପୁସ୍ତକ ଲେଖିଥିଲେ। ଯେଉଁଥିରେ ସେ ଦାବି କରିଥିଲେ ଯେ, 2030 ବେଳକୁ ମାନବ ମୃତ୍ୟୁ ଉପରେ ବିଜୟ ପାଇବ। ପୁସ୍ତକରେ ଜେନେଟିକ୍ସ୍,ରୋବୋଟିକ୍ସ ଓ ନାନୋ ଟେକେନ୍ଲୋଜି ବାବଦରେ ଅନେକ କିଛି ସେ ଲେଖିଥିଲେ। ଯାହାର କିଛି କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କେମିତି ଅମର ହେବ ମଣିଷ

୨୦୧୭ରେ କୁର୍ଜବିଲ ଫୁଚରିଜମ୍ କୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ, ୨୦୨୯ ସେହି ବର୍ଷ ହେବ ଯେଉଁବର୍ଷ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏକ ବୈଧ ପରୀକ୍ଷା ପାସ କରି ମାନବ ବୁଦ୍ଧିମତାର ସମକକ୍ଷ ହେବ। ମୁଁ 2045କୁ ସିଙ୍ଗୁଲାରିଟି ପାଇଁ ନିର୍ଧାରିତ କରୁଛି। ଏହି ବର୍ଷ ମାନବ ନିଜ ତିଆରି ଏଆଇର ବୁଦ୍ଧିମତା ସହିତ ନିଜର ବୁଦ୍ଧିମତାର ବିଲୟ କରି ଅନେକ ମାତ୍ରାରେ ବୁଦ୍ଧିମାନ ହେବ।

କୁର୍ଜବିଲ ନାନୋଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ମଧ୍ୟ କହିଛନ୍ତି। ତାଙ୍କର କହିବା ଅନୁଯାୟୀ, ଉଭୟଙ୍କ ମିଶ୍ରଣରେ ବୟସକୁ ହ୍ରାସ କରିବା ପାଇଁ ନାନୋବଟ୍ସ୍ ତିଆରି ହେବ । ଆଗାମୀ ଦିନରେ ନାନୋବଟ୍ସ୍ ସହାୟତାରେ ମଣିଷ ଶରୀରର ସମସ୍ତ ରୋଗ ଠିକ୍ କରାଯାଇପାରିବ । ଏଭଳି ନାନୋ ବୋଟ୍ସ ବୟସ ବଢାଉଥିବା ସେଲ୍ସର ଅବକ୍ଷୟକୁ ରୋକିଦେବେ। ଫଳରେ ମଣିଷର ବୟସ ବଢିବ ନାହିଁ। ଏହା ସହିତ ରୋଗ ସୃଷ୍ଟିକାରୀ ସେଲସକୁ ମଧ୍ୟ ନାନୋ ବୋଟ୍ସ ଧ୍ୱଂସ କରିଦେବେ।

ସିଙ୍ଗୁଲାରିଟି କଣ

ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଏହି ସିଙ୍ଗୁଲାରିଟି କଣ। ସିଙ୍ଗୁଲାରିଟି ହେଉଛି ଏଭଳି ଏକ ହାଇପୋଥେଟିକାଲ ପଏଣ୍ଟ ବା ସମ୍ଭାବ୍ୟ ବିନ୍ଦୁ ଯେଉଁଠି ଉନ୍ନତ ଟେକ୍ନୋଲୋଜି ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଭଳି ମେସିନର ନିର୍ମାଣ କରିବ ଯାହା ମାନବଠାରୁ ଅଧିକ ବୁଦ୍ଧିମାନ ହେବ। ସିଙ୍ଗୁଲାରିଟି ବାବଦରେ ରୟଙ୍କ ପୂର୍ବରୁ ମଧ୍ୟ ଅନେକ ବୈଜ୍ଞାନିକ ଭବିଷ୍ୟବାଣୀ କରିଛନ୍ତି।

ଆଗରୁ କରିଥିବା ଭବିଷ୍ୟବାଣୀ ସତ ହୋଇଛି

ରୟ କୁର୍ଜବିଲ ଆଗରୁ କରିଥିବା ଭବିଷ୍ୟବାଣୀ ମଧ୍ୟରୁ 86 ପ୍ରତିଶତ ସତ ହୋଇଛି। 1990 ମସିହାରେ ସେ ଭବିଷ୍ୟବାଣୀ କରିଥିଲେ ଯେ, 2000 ମସିହାରେ କମ୍ପ୍ୟୁଟର ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଚେସ୍ ଖେଳାଳୀଙ୍କୁ ପରାସ୍ତ କରିଦେବ। 1997ରେ ଡିପ୍ ବ୍ଲୁ ନାମକ କମ୍ପ୍ୟୁଟର ଗ୍ୟାରି କାସପୋରୋଭଙ୍କୁ ଚେସ୍ ଖେଳରେ ହରାଇଦେଇଥିଲା। ଅର୍ଥାତ 2000 ଆସିବାର ତିନି ବର୍ଷ ଆଗରୁ ତାଙ୍କ ଭବିଷ୍ୟତବାଣୀ ସତ ହୋଇଥିଲା। ସେହିଭଳି ସେ କହିଥିଲେ ଯେ, 2010 ବେଳକୁ ଏମିତି କମ୍ପ୍ୟୁଟର ଆସିବ ଯାହାର ଷ୍ଟୋରେଜ୍ କାପାସିଟି ମାବନୀୟ ମସ୍ତିଷ୍କଠାରୁ ଅଧିକ ହେବ। ଯାହା ଆପଣ ବ୍ୟବହାର କରୁଥିବ କମ୍ପ୍ୟୁଟରରୁ ଜାଣି ପାରୁଥିବେ। ସେହିଭଳି ସେ କହିଥିଲେ ଯେ,2029 ବେଳକୁ କମ୍ପ୍ୟୁଟର ପାଖରେ ମାନବ ଭଳି ବୁଦ୍ଧିମତା ଥିବ। 2023ରେ ଚାଟ୍ ଜିପିଟି ଭଳି ଏଆଇ ପୁରା ବିଶ୍ପରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁଗଲ,ମାଇକ୍ରୋସଫଟ ଭଳି କମ୍ପାନୀ ଏଆଇ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରତିଯୋଗୀତାରେ ସାମିଲ ହୋଇଛନ୍ତ।

ଏଆଇକୁ ବି ବିରୋଧ

ତେବେ ଏମିତି ନୁହେଁ ଯେ, ସମସ୍ତେ ଏଆଇର ଉତ୍ଥାନ ଓ ବିକାଶକୁ ନେଇ ଖୁସୀ ଅଛନ୍ତି। ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ଆପଲର ସହ ପ୍ରତିଷ୍ଠାତାଙ୍କ ଭଳି ଏକ ହଜାରରୁ ଅଧିକ ଟେକ୍ନୋକ୍ରାଟ୍ ଏଆଇ ରିସର୍ଚ୍ଚ ଉପରେ ବ୍ୟାନ୍ ପାଇଁ ଦାବି କରୁଛନ୍ତି। ସେମାନେ ଏନେଇ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ କରିଛନ୍ତି। ସେମାନଙ୍କ ଅନୁସାରେ ମେସିନ୍ ମଣିଷଠାରୁ ଅଧିକ ବୁଦ୍ଧିମାନ ହେବା ମାନବ ସଭ୍ୟତା ପାଇଁ ବିପଜ୍ଜନକ ହୋଇପାରେ।

Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami