୫ଟଙ୍କିଆ ଲଲିପପ୍ ଧରେଇ କେନ୍ଦ୍ର ମାରୁଛି ବାହାଦୁରି, ସରକାରଙ୍କ ପାଇଁ ତେଲ କମ୍ପାନୀଙ୍କ ସ୍ୱାର୍ଥ ବଡ଼

କୋଦରା କୋଡେ ଯେତିକି ମାଡେ ସେତିକି । ଏହି ଢଗ ସହିତ ସମସ୍ତେ ନିଶ୍ଚିତ ପରିଚିତ ଥିବେ । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଠିକ୍ ସେହିଭଳି ନୀତିରେ କେନ୍ଦ୍ର ସରକାର ଚାଲିଥିବା ଭଳି ମନେ ହେଉଛି । ଧରି ନିଅନ୍ତୁ ଆପଣଙ୍କ ପାଖ ଦୋକାନି ଆପଣଙ୍କୁ କୌଣସି ଜିନିଶ ଯେତିକି ଟଙ୍କାରେ ୪ ବର୍ଷ ତଳେ ବିକ୍ରି କରୁଥିଲେ ଏବେ ତା’ଠାରୁ ଢେର ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଆପଣ ଓ ଆପଣଙ୍କ ଭଳି ଅନେକ ଗ୍ରାହକ ଏଭଳି ଅନ୍ୟାୟପୂର୍ଣ୍ଣ ଦରଦାମ ବୃଦ୍ଧିର ବିରୋଧ କରିବାକୁ ସେ ବହୁତ କଷ୍ଟରେ ଦାମ କରୁଛନ୍ତି । କିନ୍ତୁ କେତେ ଦାମ କରୁଛନ୍ତି ? ଶହେ ଟଙ୍କା ଦର ବଢାଇ ସେ ମାତ୍ର ୨ଟଙ୍କା କମାଉଛନ୍ତି । ଆଉ ଏହା ମଧ୍ୟ ଚାହୁଁଛନ୍ତି ଯେ, ଆପଣ ଦୁଇ ଟଙ୍କା ଦର ହ୍ରାସ କରିଥିବାରୁ ଆପଣ ତାଙ୍କର ପ୍ରଶଂସା କରନ୍ତୁ । ତାଙ୍କୁ ମହାନ ଦାତ୍ତା ବୋଲି ଘୋଷଣା କରିଦିଅନ୍ତୁ । ଠିକ୍ ସେହିଭଳି ଘଟଣା ଏବେ ଦେଶରେ ଦେଖିବାକୁ ମିଳିଛି । ୨୦୧୪ରୁ ୨୦୨୧ ଏହି ୭ ବର୍ଷ ଭିତରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ବାବଦରେ କେତେ ପାଇଛନ୍ତି ଓ ସାଧାରଣ ନାଗରିକଙ୍କୁ ଏହାର କେତେ ଲାଭ ଦେଇଛନ୍ତି ବା ସାଧାରଣ ଜନତା ଏହାଦ୍ୱାରା କେତେ ହନ୍ତସନ୍ତ ହେଉଛନ୍ତି ଆସନ୍ତୁ ସେହି ହିସାବ ଉପରେ ଟିକେ ନଜର ପକାଇବା ।

୭ ବର୍ଷରେ ଶୁଦ୍ଧ ଲାଭ ୧୪ . ୪ ଲକ୍ଷ କୋଟି ଟଙ୍କା !

ଗତ ସାତବର୍ଷ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଶୁଳ୍କ ଭାବେ ୧୪ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି । କେନ୍ଦ୍ର ସରକାର ୭ ବର୍ଷ ଭିତରେ ଆଖିବୁଜି ଏକ୍ସସାଇଜ୍ ଡ୍ୟୁଟି ବଢାଇଛନ୍ତି । ଗତ ୭ ବର୍ଷ ଧରି ଯେଉଁ ହାରରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି ସେଥିପାଇଁ ବଜାରରେ ନିଆଁ ଲାଗିଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସେଥିପ୍ରତି ନିଘା ନଥିଲା । କିନ୍ତୁ ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟରେ ନିର୍ବାଚନ ପୂର୍ବରୁ ଉପ ନିର୍ବାଚନରେ ଯେଉଁଭଳି ଧକ୍କା ବିଜେପିକୁ ମିଳିଲା ତାହା ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଚିନ୍ତାରେ ପକାଇଥିଲା । ଯେଉଁଥିପାଇଁ ଦର କମାଇବା ନାଟକ ମଂଚସ୍ତ ହୋଇଥିଲା । ୭ ବର୍ଷରେ ୧୪ ଲକ୍ଷ କୋଟି ଟଙ୍କା ଏକ୍ସସାଇଜ୍ ଶୁଳ୍କ ପାଇଥିବା ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଦେଲେ । ଏହି ଦରହ୍ରାସକୁ ନେଇ ବିଜେପି ନିଜ ପିଠି ଥାପୁଡାଇବାରେ ଲାଗିଛି । କିନ୍ତୁ ଲୋକ କହୁଛନ୍ତି ଏହା ହାତିକୁ ହୋମିଓପାଥି । ଲୋକ କହିବେ ହିଁ କହିବେ କାରଣ ୧୪ ଲକ୍ଷ କୋଟି ଆୟ କରିଥିବା ବେଳେ ଯଦି ୫ଟଙ୍କାର ଲଲିପପ୍ ଜନତାକୁ ଧରାଯାଏ ତେବେ ଲୋକ ତାତିବେ ହିଁ ତାତିବେ । କିନ୍ତୁ କଥା ଏତିକିରେ ଅଟକୁ ନାହିଁ । କେନ୍ଦ୍ର ସରକାର ଓ ବିଜେପି ବହୁତ ଚତୁରତାର ସହିତ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଦୋଷ ରାଜ୍ୟ ସରକାରଙ୍କ ଉପରେ ଲଦିବାକୁ ଚାହିଁଛନ୍ତି । ଆଉ ଦୋଷ ଲଦିବା ପାଇଁ ଭାଟକୁ ଅସ୍ତ୍ର କରିଛନ୍ତି । ବିଜେପି କହୁଛି ରାଜ୍ୟ ସରକାର ଭାଟ୍ ହ୍ରାସ କରନ୍ତୁ, ପେଟ୍ରୋଲ ଦର କମିବ । କିନ୍ତୁ ପ୍ରଶ୍ନ ହେଲା ରାଜ୍ୟ ସରକାର ମାନେ ଭାଟ୍ ହ୍ରାସ କରିବେ କାହିଁକି ଓ ଯଦି କରିବେ ତେବେ ଯେଉଁ ରାଜସ୍ୱହାନୀ ହେବ ତା’ର ଭରଣ କରିବ କିଏ ?

କାହିଁକି ରାଜ୍ୟ କମ କରିବେ ଭାଟ୍ ?

ରାଜ୍ୟଙ୍କ ଯୁକ୍ତି ହେଉଛି କେନ୍ଦ୍ର ଯେତେବେଳେ ଆଖିବୁଜା ଏକ୍ସସାଇଜ୍ ଡ୍ୟୁଟି ବଢାଇବ ଓ ସେସ୍ ଲଗାଇବ ସେତେବେଳେ ରାଜ୍ୟ ସରକାର କ’ଣ ପାଇଁ ଭାଟ୍ ହ୍ରାସ କରିବେ ? ୨୦୧୪ରେ ପେଟ୍ରୋଲ ଉପରେ ଏକ୍ସାସାଇଜ୍ ଡ୍ୟୁଟି ଥିଲା ୯ଟଙ୍କା ୪୮ ପଇସା ୨୦୨୧ରେ ଏହା ବୃଦ୍ଧି ପାଇ ହୋଇଛି ୩୨ଟଙ୍କା ୯୦ ପଇସା । ୨୦୧୪ରେ ଡିଜେଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ଥିଲା ୩ଟଙ୍କା ୫୬ ପଇସା । ୨୦୨୧ରେ ଯାହା ୩୧ଟଙ୍କା୮୦ ପଇସାରେ ପହଂଚିଛି । ଏହାର ଅର୍ଥ ହେଉଛି ୨୦୧୪ରୁ ୨୦୨୧ ଭିତରେ କେନ୍ଦ୍ର ଏକ୍ସସାଇଜ୍ ଡ୍ୟୁଟି ବଢାଇ ପେଟ୍ରୋଲ ଓ ଡିଜେଲ ଦର ବଢାଇଛି । ଯାହାର ସିଧା ପ୍ରଭାବ ପଡିଛି ଲୋକଙ୍କ ପକେଟ୍ ଉପରେ । ଗଲା ୭ ବର୍ଷ ଭିତରେ ଆଛେଦିନର ସ୍ୱପ୍ନ ଦେଖାଇ କେନ୍ଦ୍ର ସରକାର କେବଳ ଲୋକଙ୍କୁ ଦୁସ୍ୱପ୍ନ ଦେଖାଇଛନ୍ତି ।

୨୦୧୪ରେ ଅଶୋଧିତ ତୈଳ ଦର ଅଧିକ ଥିଲା କିନ୍ତୁ ଦେଶରେ ପେଟ୍ରୋଲ ଦର କମ ଥିଲା

୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୁଲ୍ୟ ବ୍ୟାରେଲ ପିଛା ୧୦୮ ଡଲାର ଥିଲା । କିନ୍ତୁ ଦେଶରେ ପେଟ୍ରୋଲ ଲିଟର ପ୍ରତି ୭୦ ଟଙ୍କାରେ ମିଳୁଥିଲା । ୨୦୨୧ରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୨ ଡଲାର ଅଛି କିନ୍ତୁ ଦେଶରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କାରୁ ଅଧିକରେ ବିକ୍ରି ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଅଧିକ ଥିଲା ସେତେବେଳେ ପେଟ୍ରୋଲ ଦର କମ ଥିଲା କିନ୍ତୁ ଯେତେବେଳେ ବ୍ୟାରେଲ ପିଛା ପାଖାପାଖି ୪୦ ଡଲାର କମିଲା ସେତେବେଳେ ଭାରତ ସରକାର ନିଜ ନାଗରିକଙ୍କୁ ଲିଟର ପିଛା ୧୦୦ଟଙ୍କାରୁ ଅଧିକ ଦେଇ ପେଟ୍ରୋଲ କିଣିବାକୁ କାହିଁକି ବାଧ୍ୟ କରୁଛନ୍ତି ? ବଜାରର ମୁଳ ସିଦ୍ଧାନ୍ତ ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମିଲେ ପେଟ୍ରୋଲ ଡିଜେଲ ଦର କମିବା କଥା କିନ୍ତୁ କ’ଣ ପାଇଁ ଭାରତୀୟ ନାଗରିକ ଏହାର ସୁବିଧା ପାଉ ନାହାନ୍ତି ?

କେନ୍ଦ୍ର ପାଇଁ କମ୍ପାନୀ ସ୍ୱାର୍ଥ ବଡ଼

ସରକାରଙ୍କ କମ୍ପାନୀ ପ୍ରିତି ପାଇଁ କାହିଁକି ସାଧାରଣ ନାଗରିକ ହନ୍ତସନ୍ତ ହେବେ ? ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପରେ ମଧ୍ୟ ଦେଶର ପେଟ୍ରୋଲିୟମ କମ୍ପାନୀ ତୈଳ ମୂଲ୍ୟ ହ୍ରାସ କରୁ ନାହାନ୍ତି । ଯାହାର ଅର୍ଥ ହେଉଛି ଲାଭ ଉପରେ ଲାଭ । କେନ୍ଦ୍ର ସରକାରଙ୍କ ଅଧିକ ମହତ୍ୱ କିଏ ରଖନ୍ତି ? ସାଧାରଣ ନାଗରିକ ନା କମ୍ପାନୀ ? ପେଟ୍ରୋଲ କମ୍ପାନୀ ଯେଉଁ ଲାଭ କମାଇଛନ୍ତି ସେହି ଲାଭକୁ ଦେଶ ସହ କାହିଁକି ବାଣ୍ଟିବେ ନାହିଁ ?

achhe dinBJP govtcentral governmentcentre vs stateelectionselectoral lollipopexcise dutyfuel price cutfuel price hikemodi govtpetrol diesel price hikepetrol diesel price riseprice of crude oil in the international marketVATଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟଆଛେଦିନର ସ୍ୱପ୍ନଏକ୍ସସାଇଜ୍ ଶୁଳ୍କଏକ୍ସାଇଜ୍ ଡ୍ୟୁଟିକେନ୍ଦ୍ର ସରକାରକେନ୍ଦ୍ର ସରକାର ଓ ବିଜେପିପେଟ୍ରୋଲ ଓ ଡିଜେଲ ଦାମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami