ଆଜି ଶେଷ ହେଉଛି କେଜ୍ରିୱାଲଙ୍କ ହେପାଜତ ଅବଧି

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହେପାଜତ ଅବଧି । ଆଜି କେଜରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରିବ ଇଡି । ହାଜର କରିବା ସମୟରେ ଇଡି ଅଧିକ ରିମାଣ୍ଡ ମାଗିବ ନାହିଁ । ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲକୁ ପଠାଯିବ ନା ଜାମିନ୍ ମିଳିବ ସେନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୪ ଦିନ ପାଇଁ ଦ୍ୱିତୀୟ ଥର ଲାଗି ରିମାଣ୍ଡରେ ନେଇଥିଲା ଇଡି । ତଦନ୍ତ ପ୍ରକ୍ରିୟା ସମ୍ପନ୍ନ ହୋଇ ନ ଥିବାରୁ ପୁଣିଥରେ ୭ ଦିନିଆ ରିମାଣ୍ଡ ଦାବି କରିଥିଲା ଇଡି । ଇଡିର ଦାବିକୁ ନେଇ ଗତ ଗୁରୁବାର ଦିନ ୪ ଦିନ ରିମାଣ୍ଡ ପ୍ରଦାନ କରିଥିଲେ ଦିଲ୍ଲୀର ରାଉଜ ଏଭେନ୍‌ୁ୍ୟ କୋର୍ଟ ।

ଇଡିକୁ ସହଯୋଗ କରୁନାହାନ୍ତି କେଜ୍ରିୱାଲ

ଗତ ଶୁଣାଣି ସମୟରେ କେଜ୍ରିୱାଲ କହିଥିଲେ ଯେ, “ମୁଁ ଇଡିର ରିମାଣ୍ଡ ପିଟିସନକୁ ବିରୋଧ କରୁନାହିଁ । ଇଡି ଯେତେ ଦିନ ଚାହିଁବ ଜେଲରେ ରଖିପାରିବ । କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା ଜାଣିଶୁଣି ମୋତେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି । ଇଡିର ଦୁଇଟି ଉଦ୍ଦେଶ୍ୟ ଥିଲା । ଗୋଟିଏ ହେଉଛି ଆପକୁ ଭାଙ୍ଗିବା ଏବଂ ଦ୍ୱିତୀୟଟି ହେଉଛି ଏକ ‘ସ୍ମୋକସ୍କ୍ରିନ’ ତିଆରି କରି ଏହା ପଛରେ ଏକ ଚୋରାଚାଲାଣ ରାକେଟ୍ ଚଲାଇବା, ଯାହା ମାଧ୍ୟମରେ ସେମାନେ ଟଙ୍କା ସଂଗ୍ରହ କରୁଛନ୍ତି ।” ଏହା ସହ ଇଡି ପକ୍ଷରୁ କୁହାଯାଇଥିଲା ଯେ, “କେଜ୍ରିୱାଲ ଏପର୍ଯ୍ୟନ୍ତ ତାଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନର ପାସୱାର୍ଡ ଦେଇନାହାଁନ୍ତି । ସହଯୋଗ ନ କରିବା ସହ ସେ ସିଧାସଳଖ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି । ଯଦି ସେ ସହଯୋଗ ନକରନ୍ତି, ତେବେ ଆମେ ତାଙ୍କ ଫୋନକୁ ଟେକ୍ନିକାଲ୍ ଟିମକୁ ଦେଇ ଖୋଲିବୁ । ତେଣୁ ଆମକୁ ଅଧିକ ଦିନ ରିମାଣ୍ଡର ଆବଶ୍ୟକତା ରହିଛି ।”

ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା କଣ ୪ ଜଣଙ୍କ ସାକ୍ଷ ପର୍ଯ୍ୟାପ୍ତ

ଜେରାବେଳେ କେଜରିୱାଲଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା । ମାମଲାରେ ଗୋଆର କିଛି ନେତାଙ୍କ ସହ କେଜରିୱାଲଙ୍କୁ ସାମନା ସାମନି ଜେରା କରିବାକୁ ଚାହୁଁଥିବା କହିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୨୧ ତାରିଖରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଆମ ଆଦମୀ ପାର୍ଟିକୁ ବଦନାମ କରିବା ସହ ଏହାକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ କେଜରିୱାଲ । ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜରିୱାଲଙ୍କ ବିରୋଧରେ ୪ ଜଣ ସାକ୍ଷ ପ୍ରଦାନ କରିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ କଣ ୪ ଜଣଙ୍କ ସାକ୍ଷ ପର୍ଯ୍ୟାପ୍ତ ବୋଲି ବିଚାରପତିଙ୍କୁ ପଚାରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମାମଲାରେ ଏବେଯାଏ ଆମ ଆଦମୀ ପାର୍ଟିର କେଜରିୱାଲଙ୍କ ସହ ୪ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି । ନିକଟରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ମାରାଥନ ଜେରା କରିଥିଲା ଇଡି ।

AAP supremo arvind kejriwalArvind Kejriwal cmkejriwals detention period ends
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami