ମହାରାଷ୍ଟ୍ର ବିଦ୍ରୋହ ପରେ ସେଠାରେ ନୂଆ ସରକାର ଗଠନ ହୋଇଛି । ନୂଆ ସରକାରରେ ଜଣେ ପୁରୁଣା ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅନିଛା ସତ୍ୱେ ପ୍ରଧାନମନ୍ତ୍ରୀଙ୍କ ଆଦେଶ ମାନ ବିଜେପିର ଦେବେନ୍ଦ୍ର ଫଡନାବିସ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମିତିରେ ଦେଶର ଅନେକ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ମହାରାଷ୍ଟ୍ର ଘଟଣାକ୍ରମଣ ଏଇଥିପାଇଁ ବିଶେଷ ଯେ, ସବୁଠାରୁ ବଡ଼ ଦଳ ଓ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏମିତିରେ ମନକୁ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଉପ-ମୁଖ୍ୟମନ୍ତ୍ରୀଙ୍କ କ୍ଷମତା କ’ଣ ? ଏହି ପଦବୀର କିଛି ସାମ୍ବିଧାନିକ ମାନ୍ୟତା ରହିଛି କି ? ଆସନ୍ତୁ ଜାଣିବା ଓ ବୁଝିବା ଉପ-ମୁଖ୍ୟମନ୍ତ୍ରୀଙ୍କ କ୍ଷମତା କ’ଣ ।
ଦେଶରେ ୧୭ ଜଣ ଉପମୁଖ୍ୟମନ୍ତ୍ରୀ
ଦେଶରେ ବର୍ତ୍ତମାନ ସମୟରେ ଜଣେ ଦୁଇ ଜଣ ନୁହନ୍ତି ମୋଟ ୧୭ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନେକ ରାଜ୍ୟରେ ଏକରୁ ଅଧିକ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । ସର୍ବାଧିକ ଉପ-ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୫ଜଣ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି । ସେହିଭଳି ବିହାର ଓ ଉତ୍ତର ପ୍ରଦେଶରେ ଦୁଇ –ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ହରିଆନା, ଦିଲ୍ଲୀ, ମେଘାଳୟ, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡରେ ଜଣେ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହି ତାଲିକାରୁ ଜଣା ପଡେ ଯେ, ଉତ୍ତର-ପୂର୍ବ ଭାରତର ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି ।
ସମ୍ବିଧାନ କ’ଣ କହୁଛି ?
୧୯୫୦ ମସିହାରେ ସମ୍ବିଧାନ ପ୍ରଣୟନ ହେବା କାଳରେ ଦେଶର ଉପ-ପ୍ରଧାନମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ସେସମୟରେ ଦେଶର କୌଣସି ରାଜ୍ୟରେ ଜଣେ ବି ଉପ-ମୁଖ୍ୟମନ୍ତ୍ରୀ ନଥିଲେ । ତେବେ ଏହା ମଧ୍ୟ ସତ ଯେ, ସମ୍ବିଧାନରେ ଉପ-ପ୍ରଧାନମନ୍ତ୍ରୀ କିମ୍ବା ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବ୍ୟବସ୍ଥା ନାହିଁ । ସମ୍ବିଧାନରେ ଏହି ପଦ ନାହିଁ । ସମ୍ବିଧାନ ଅନୁସାରେ ଏହି କ୍ୟାବିନେଟ୍ ରାଙ୍କର ବରିଷ୍ଠ ମନ୍ତ୍ରୀଙ୍କ ସମକକ୍ଷ । ସମ୍ବିଧାନରେ ଏହି ପଦକୁ ନେଇ କୌଣସି ବ୍ୟାଖ୍ୟା କରାଯାଇ ନାହିଁ । ଦେଶରେ ସମ୍ବିଧାନ ଗୃହିତ ହେବା ପରେ ଅନେକ ଉପ ପ୍ରଧାନମନ୍ତ୍ରୀ ଓ ଅନେକ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି କିନ୍ତୁ ଏହି ପଦ କେବଳ ମାତ୍ର ପ୍ରତିକାତ୍ମକ । ଏହା ପଛରେ କୌଣସି ସାମ୍ବିଧାନିକ ମାନ୍ୟତା ନାହିଁ । ଉପ-ମୁଖ୍ୟମନ୍ତ୍ରୀ ବାକି ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ଅନ୍ୟ ଜଣେ ମନ୍ତ୍ରୀ । ତେବେ ଏହି ପଦର ରାଜନୈତିକ ଗୁରୁତ୍ୱ ରହିଛି । ଦଳର ଓଜନଦାର ସଦସ୍ୟଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ଏହି ପଦ ଦିଆଯାଇଥାଏ । ଏମିତି କରି ଦଳ ସେହି ବ୍ୟକ୍ତିଙ୍କ ରାଜନୈତିକ ମହତ୍ୱାକାଂକ୍ଷା ଓ ବରିଷ୍ଠତାକୁ ସମ୍ମାନ ଜଣାଇଥାଏ ।
କିଏ ଏହି ପଦ ଅନାବଶ୍ୟକ ବୋଲି କହିଥିଲେ ?
ନିଲମ ସଂଜିବ ରେଡ୍ଡି ୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଦେଶର ରାଷ୍ଟ୍ରପତି ହୋଇଥିଲେ । ସମ୍ଭବତଃ ନିଲମ ସଂଜିବ ରେଡି ଦେଶର ପ୍ରଥମ ଉପ-ମୁଖ୍ୟମନ୍ତ୍ରୀ ଥିଲେ । ପରେ ୧୯୫୬ ମସିହାରେ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ନିଜ ମନ୍ତ୍ରିମଣ୍ଡଳରେ ସେ କାହାରିକି ମଧ୍ୟ ଉପ ମୁଖ୍ୟମନ୍ତ୍ରୀ କରିବାକୁ ମନା କରି ଦେଇଥିଲେ । ତାଙ୍କ କହିବା ଥିଲା ଯେ, ଉପ ମୁଖ୍ୟମନ୍ତ୍ରୀ ପଦର ଆବଶ୍ୟକତା ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଥିବା ଫାଇଲକୁ ସେ ଆଗୁଆ ଦେଖି ପାରିବେ କି ?
ଏହାର ଉତ୍ତର ହେଉଛି ସେ ଏଭଳି କରି ପାରିବେ ନାହିଁ । ଉପ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରି ପାରିବେ ନାହିଁ । ତାଙ୍କ ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ହିଁ ଅନ୍ତିମ ନିର୍ଣ୍ଣୟ ନେଇଥାନ୍ତି ।
କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରିପାରିବେ କି ?
ଉପ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରି ପାରିବେ ନାହିଁ । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଧିକୃତ ହୋଇଥିଲେ ସେ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିପାରିବେ । ସାଧାରଣତଃ ଆଜିକାଲି ଉପ ମୁଖ୍ୟମନ୍ତ୍ରୀଙ୍କୁ ସରକାରରେ ନମ୍ବର ଦୁଇ ଭାବେ ଗଣା ଯାଇଥାଏ ।
ଉପ ମୁଖ୍ୟମନ୍ତ୍ରୀ କେଉଁ ପଦର ଶପଥ ନିଅନ୍ତି ?
ମୁଖ୍ୟମନ୍ତ୍ରୀ ପଦର ଶପଥ ନେଉଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କଥା କୁହନ୍ତି । କିନ୍ତୁ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଉଥିବା ବ୍ୟକ୍ତି ମନ୍ତ୍ରି ପଦର ଶପଥ ନେଇଥାନ୍ତି । ସେ ଉପ ମୁଖ୍ୟମନ୍ତ୍ରୀ ପଦର ନାମ ନେଇ ନଥାନ୍ତି । ଏହାକୁ ନେଇ ଏକ ରୋଚକ ତଥ୍ୟ ମଧ୍ୟ ରହିଛି । ୧୯୮୯ ମସିହାରେ ଭିପି ସିଂହ ସରକାରରେ ଦେବି ଲାଲ ଉପ ପ୍ରଧାନମନ୍ତ୍ରୀ ଥିଲେ । ତେବେ ଶପଥ ଗ୍ରହଣ ବେଳେ ଦେବୀଲାଲ ମନ୍ତ୍ରିପଦର ଶପଥ ନେବା ବଦଳରେ ଉପ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ । ଶପଥ ପାଠ କରାଉଥିବା ତତ୍କାଳୀନ ରାଷ୍ଟ୍ରପତି ଭେଙ୍କେଟ ରମଣ ତାଙ୍କୁ ଶପଥ ପତ୍ର ପଢିବାକୁ କହିଥିଲେ । ଦେବିଲାଲ ପଢିବାର ଥିଲା ଯେ, ମୁଁ ଦେବୀଲାଲ ମନ୍ତ୍ରିପଦର ଶପଥ ନେଉଛି । କିନ୍ତୁ ଦେବୀଲାଲ ପଢିଥିଲେ –ମୁଁ ଦେବୀଲାଲ ଉପ-ପ୍ରଧାନମନ୍ତ୍ରୀ ପଦର ଶପଥ ନେଉଛି । ରାଷ୍ଟ୍ରପତି ଭେଙ୍କେଟରମଣ ଦେବୀଲାଙ୍କ ଭୁଲ ସୁଧାରିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ସେ ଦେବୀଲାଲଙ୍କୁ ତାଙ୍କ ଇଛାରେ ଶପଥ ପତ୍ର ପଢିବାକୁ ଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟ ଯାଇଥିଲା । ଦେବୀଲାଲଙ୍କ ଉପପ୍ରଧାନମନ୍ତ୍ରୀ ଭାବେ ଶପଥପାଠକୁ ଅଦାଲତରେ ଚ୍ୟାଲେଂଜ୍ କରାଯାଇଥିଲା । ତେବେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଥିଲେ ଯେ, ସାମ୍ବିଧାନିକ ଭାବେ ଦେବୀଲାଲଙ୍କ ପଦ କ୍ୟାବିନେଟ୍ ରାଙ୍କର ।