ଉଦାହରଣ ସାଜିଛନ୍ତି ଲୌରା

ଆମେରିକାରେ ରହୁଛନ୍ତି, ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି । ହେଲେ ଭାରତ ତଥା ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଙ୍କ ମନରେ ଉଦ୍‌ବେଗ । ନିଜ ଉଦ୍ୟମରେ ଓଡ଼ିଶାକୁ ସହାୟତା ଦେବା ପାଇଁ ଘରକୁ ଘର ବୁଲି ବିକୁଛନ୍ତି ସ୍ନାକ୍ସ । ଭାରତୀୟ ବଜାରରେ ମିଳୁଥିବା ସ୍ନାକ୍ସର ସ୍ୱାଦ ଆମେରିକୀୟଙ୍କୁ ଦେବା ସହ ଲକ୍ଷ୍ୟ ରଖିଛନ୍ତି ସଂଗ୍ରହ କରିବେ ୨ ହଜାର ଡଲାର । ଏହାକୁ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ପଠାଇବେ । ଓଡ଼ିଶାଠାରୁ ୧୩ ହଜାର କିମି ଦୂର ଥାଇ ବି ଜନ୍ମମାଟି ପ୍ରତି ଏକ ଛୋଟ ପ୍ରତିଦାନ ଦେଇ ଅନ୍ୟମାନଙ୍କ ପାଇଁ  ଉଦାହରଣ ସାଜିଛନ୍ତି ୧୨ ବର୍ଷୀୟ ଲୌରା ମହାପାତ୍ର । କାହାଠାରୁ ମାଗିଯାଚି ନୁହେଁ, ଆମେରିକାରେ ବିଦେଶୀଙ୍କୁ ଭାରତୀୟ ଖାଦ୍ୟ ଯୋଗାଇ ଏହି ଫଣ୍ଡ୍ ସୃଷ୍ଟି କରିଛନ୍ତି ସେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଜରିଆରେ ସହାୟତା ରାଶି ପଠାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।

କଟକ ତେଲେଙ୍ଗାବଜାରର ଡାକ୍ତର ରାମପ୍ରସାଦ ମହାପାତ୍ର ଓ ଡାକ୍ତର ସୁଚିସ୍ମିତା ସ୍ୱାଇଁଙ୍କ ଝିଅ ଲୌରା ।  ଆମେରିକାରେ ଶ୍ରୀ ମହାପାତ୍ରଙ୍କ ଚାକିରି ଯୋଗୁଁ ସପରିବାର ମଙ୍କାଟୋ ସହରରେ ରହୁଛନ୍ତି । ଲୌରା ସ୍ଥାନୀୟ ସ୍କୁଲରେ ଷ୍ଟାଣ୍ଡାର୍ଡ ୬ରେ ପାଠ ପଢ଼ୁଛନ୍ତି । ଛୋଟବେଳୁ ତାଙ୍କ ଭିତରେ ପରୋପକାର ମନୋଭାବ ଦେଖିବାକୁ ପାଇଥିଲେ ଅଭିଭାବକ । ସ୍କୁଲ ପଢ଼ା ସହ ସେ ନିକଟସ୍ଥ ଏକ ସେବା ଯୋଗାଣକାରୀ ଅନୁଷ୍ଠାନ ସହ ଜଡ଼ିତ ହେଲେ । ଗତବର୍ଷ କରୋନା ସମୟରେ ସେ ନିଜର ପିଗି ବ୍ୟାଙ୍କରୁ ନ୍ୟୁୟର୍କରେ କୋଭିଡ୍ ପରିଚାଳନା ପାଇଁ ସାହାଯ୍ୟ କରିଥିଲେ । କଟକର ଏହି ଓଡ଼ିଆ ଝିଅଙ୍କ ପଦକ୍ଷେପକୁ ଗତବର୍ଷ ନ୍ୟୁୟର୍କରେ ବହୁତ ପ୍ରଶଂସା ମିଳିଥିଲା । ଆମେରିକାର ଏକ ଟିଭି ଚ୍ୟାନେଲରେ ମଧ୍ୟ ଲୌରାଙ୍କୁ ନେଇ ରିପୋର୍ଟ ପ୍ରଦର୍ଶିତ ହୋଇଥିଲା । ହଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଟିନା ଫେ’ ମଧ୍ୟ ଲୌରାଙ୍କ ଏହି ଉଦ୍ୟମକୁ  ପ୍ରଶଂସା କରିଥିଲେ । ଚଳିତ ବର୍ଷ କରୋନା ଦ୍ୱିତୀୟ ଲହରିରେ ସେ ଓଡ଼ିଶା ପାଇଁ କିଛି ସହଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କର ଅନ୍ୟ ପରିବାର ସଦସ୍ୟ, ବନ୍ଧୁବାନ୍ଧବ କରୋନା ସଂକ୍ରମଣର ଶିକାର ହୋଇଥିବାବେଳେ ଡା. ରାମପ୍ରସାଦ ମହାପାତ୍ର ଓ ସୁଚିସ୍ମିତା ସ୍ୱାଇଁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି । ଏକ୍ଷେତ୍ରରେ ଲୌରା ମଧ୍ୟ ବ୍ୟକ୍ତିଗତ ଉଦ୍ୟମରେ କିଛି ଅନୁଦାନ ଓଡ଼ିଶାର କୋଭିଡ୍ ପରିଚାଳନା ପାଇଁ ପଠାଇବାକୁ ସ୍ଥିର କରି କିଛି ମାସ ପୂର୍ବରୁ ଏକ ଯୋଜନା କରିଥିଲେ । ପିଗି ବ୍ୟାଙ୍କ୍‌ରେ ସଂଚୟ ରାଶି ନୁହେଁ ବରଂ ନିଜସ୍ୱ କଷ୍ଟ ଉପାର୍ଜିତ କିଛି  ଟଙ୍କା ସେ ଓଡ଼ିଶା ପଠାଇବାକୁ ଚାହିଁଥିଲେ ।

ମା’ଙ୍କ ସହିତ ଆଲୋଚନା କରି ଆମେରିକାରେ ଭାରତୀୟ ଖାଦ୍ୟ (ସ୍ନାକ୍ସ)ର ହୋମ୍ ଡେଲିଭରି କରିବା ଆରମ୍ଭ କରିଥିଲେ ଲୌରା । ସିଙ୍ଗଡ଼ା, ଡାଲି କଚୁଡ଼ି, ଆଳୁ ଭୁଜିଆ, ଗୁଲାବ୍‌ଜାମୁ, ମିଲ୍‌କ୍ କେକ୍ ଆଦି ଡୋର ଟୁ ଡୋର ହୋମ ଡେଲିଭରି କରି ଗତ କିଛି ମାସରେ ୧୨୫୦ ଡଲାର ଯୋଗାଡ଼ କରିବାକୁ ସକ୍ଷମ ହୋଇଛନ୍ତି ସେ । ଏହି ଟଙ୍କାକୁ ସେ ‘ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍‌ଥ ଆଣ୍ଡ୍ ୱେଲ୍‌ନେସ୍ ଗ୍ରୁପ୍‌’ରେ ଡିପୋଜିଟ୍ କରିସାରିଛନ୍ତି । ବାକି ଟଙ୍କା ସଂଗ୍ରହ ପାଇଁ ନିଜ କାମ ଜାରି ରଖିଛନ୍ତି । ଆମେରିକାରେ ରହୁଥିବା ଓଡ଼ିଆ ଡାକ୍ତରଙ୍କ ଏହି ଗ୍ରୁପ୍ ଓଡ଼ିଶା କୋଭିଡ୍ ପରିଚାଳନା ପାଇଁ ସହଯୋଗ କରିବାକୁ ଯୋଜନା କରିଛି । ଲୌରାଙ୍କ ଏଭଳି ସେବା ମନୋଭାବ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି । ଇ-ମେଲ ଜରିଆରେ ନିଜ ମତାମତ ରଖି ଲୌରା କହିଛନ୍ତି, ମୋ କ୍ଷେତ୍ରରେ ଯାହା ସମ୍ଭବ ମୁଁ ଓଡ଼ିଶା ପାଇଁ କରିପାରିଥିବାରୁ ଗର୍ବିତ ଅନୁଭବ କରୁଛି । କେବଳ କରୋନା ପରିଚାଳନା କରିବା ପାଇଁ ଟଙ୍କା ଏକଜୁଟ୍ କରିବା ନୁହେଁ, ବରଂ ଆମେରିକାରେ ଭାରତୀୟ ଖାଦ୍ୟର ପ୍ରଚାର, ପ୍ରସାର କରିବା ସହ ଏହାର ଲୋକପ୍ରିୟତା ବୃ୍‌ଦ୍ଧି ପାଇଁ ମୋର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଲୌରା ।

୧୨ ବର୍ଷୀୟlaura mahapatraMankatoselling snacks itemଆମେରିକାଆମେରିକାରେ ଭାରତୀୟ ଖାଦ୍ୟଆମେରିକାରେ ଭାରତୀୟ ଖାଦ୍ୟର ପ୍ରଚାରଓଡ଼ିଶା ସୋସାଇଟି ଅଫ୍ ଆମେରିକାଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍‌ଥ ଆଣ୍ଡ୍ ୱେଲ୍‌ନେସ୍ ଗ୍ରୁପ୍‌କଟକ ତେଲେଙ୍ଗାବଜାରକୋଭିଡ୍ ପରିଚାଳନାଟିନା ଫେଡାକ୍ତର ରାମପ୍ରସାଦ ମହାପାତ୍ରଡାକ୍ତର ସୁଚିସ୍ମିତା ସ୍ୱାଇଁନ୍ୟୁୟର୍କରେ କୋଭିଡ୍ ପରିଚାଳନାବିକୁଛନ୍ତି ସ୍ନାକ୍ସମଙ୍କାଟୋଲୌରା ମହାପାତ୍ରଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତିସଂଗ୍ରହ କରିବେ ୨ ହଜାର ଡଲାରହଲିଉଡ୍ହୋମ ଡେଲିଭରି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami