ଖଦଡ, ଗାନ୍ଧୀ ଟୋପି । ଦିନେ ଏହା ଥିଲା ସମାଜବାଦୀଙ୍କ ଟ୍ରେଡ୍ ମାର୍କ୍ । ସମାଜବାଦୀ କହିଲେ ଏମିତି ଜଣେ ବ୍ୟକ୍ତିଙ୍କୁ ବୁଝାଉଥିଲା ଯିଏ ସାଧାସିଧା ଜୀବନରେ ବିଶ୍ୱାସ କରୁଥିବେ । କିନ୍ତୁ ସମୟ ସହିତ ସବୁ ବଦଳି ଯାଇଛି । ଏବେ ସମାଜବାଦୀ ନେତାଙ୍କ ସମ୍ପତି ହିସାବ ଶୁଣିଲେ ତାଜୁବ ହେବାକୁ ପଡୁଛି । ଉତ୍ତର ପ୍ରଦେଶ ରାଜନୀତିରେ ଯାଦବ ପରିବାରର ଅଲଗା ଗୁରୁତ୍ୱ ରହିଛି । ମୁଲାୟମ ସିଂ ଯାଦବଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମାଜବାଦୀ ପାର୍ଟି ବିରୋଧରେ କିନ୍ତୁ ପରିବାରବାଦ ଓ ଦୁର୍ନିତୀର ଅଭିଯୋଗ ରହିଛି । ଖୋଦ ମୁଲାୟମଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତି ରଖିବା ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ହୋଇଥିଲା । କୁହାଯାଏ ଯେ, ଯାଦବ ପରିବାର ସମାଜବାଦରେ କମ୍ ପରିବାରବାଦରେ ଅଧିକ ବିଶ୍ୱାସ ରଖନ୍ତି । ତେଣୁ ପରିବାରର ବାପା, ପୁଅ, ଭାଇ, ବୋହୂ ସମସ୍ତେ ବିଧାୟକ କିମ୍ବା ସାଂସଦ । ଲାଗେ ସମାଜବାଦ ଯେମିତି ପରିବାର ଭିତରେ ସମାଜବାଦ ଆଣୁଛି । ଉତ୍ତର ପ୍ରଦେଶ ନିର୍ବାଚନ ଯୁଦ୍ଧ ଗରମ ହେଉଥିବା ବେଳେ ସପା ମୁଖ୍ୟ ଅଖିଲେଶ ଯାଦବ ନିଜ ସମ୍ପତି ତାଲିକା ଦାଖର କରିଛନ୍ତି । ମୈନପରୁୀର କରହଲ ସିଟରୁ ନିର୍ବାଚନ ଲଢୁଥିବା ଅଖିଳେଶ ସତ୍ୟପାଠରେ ନିଜର ଓ ପତ୍ନୀ ଡିମ୍ପଲଙ୍କ ସମ୍ପତିର ତଥ୍ୟ ଦେଇଛନ୍ତି । ତେବେ ଏହି ତାଲିକାରେ ତାଙ୍କ ପାଖରେ କେତେଟି କାର ଅଛି ସେ ବାବଦରେ କୌଣସି ତଥ୍ୟ ନାହିଁ । ଏହା ସହିତ ସେ ଲୋନ୍ ନେଇଥିବା କଥା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏଥିରେ ତାଙ୍କ ବ୍ୟାଙ୍କ ବାଲାନ୍ସ,ଜମି ଜିମ୍ ସାମଗ୍ରୀ ଆଦି ବାବଦରେ ତଥ୍ୟ ରହିଛି ।
କେତେ ଟଙ୍କା ଅଛି ଅଖିଲେଶଙ୍କ ପାଖରେ ?
ଅଖିଳେଶ ଓ ଡିମ୍ପଲଙ୍କ ପାଖରେ ୪୦ କୋଟି ଟଙ୍କାର ସମ୍ପତି ରହିଛି ।
ବ୍ୟାଙ୍କ ବାଲାନ୍ସ କେତେ ?
ଅଖିଳେଶ ଯାଦବ ନିଜ ସତ୍ୟପାଠରେ ବ୍ୟାଙ୍କ ବାଲାନ୍ସ ଭାବେ ୮ କୋଟି ୪୩ ଲକ୍ଷ ଟଙ୍କା ଥିବା କଥା କହିଛନ୍ତି ।
କେତେ ପ୍ରପର୍ଟିର ମାଲିକ ?
ସମ୍ପତି କଥା କହିଲେ ଅଖିଳେଶଙ୍କ ପାଖରେ ୮ କୋଟି ୪୩ ଲକ୍ଷ ଟଙ୍କା ଓ ଡିମ୍ପଲଙ୍କ ପାଖରେ ୪.୭୬ କୋଟିର ସ୍ଥାୟୀ ସମ୍ପତି ରହିଛି । ପୁରା ପରିବାର ପାଖରେ ମୋଟ ୧୩.୩୦ କୋଟି ଟଙ୍କାର ସ୍ଥାୟୀ ସମ୍ପତି ରହିଛି । ଅନ୍ୟପକ୍ଷରେ ଅଖିଳେଶଙ୍କ ପାଖରେ ୧୭ କୋଟି ୨୨ ଲକ୍ଷ ଓ ଡିମ୍ପଲଙ୍କ ପାଖରେ ୯ କୋଟି ୬୧ ଲକ୍ଷ ଟଙ୍କାର ଅଚଳ ସମ୍ପତି ରହିଛି । ଉଭୟଙ୍କ ପାଖରେ ମୋଟ ୨୬ କୋଟି ୮୩ ଲକ୍ଷର ଅଚଳ ସମ୍ପତି ରହିଛି । ଏହି ପ୍ରପର୍ଟିରେ ୧୭.୯୩ ଏକର ଜମି ରହିଛି ।
କେତେ ଲୋନ୍ ?
ଅଖିଳେଶଙ୍କ ଅନୁସାରେ ତାଙ୍କ ଉପରେ ୨୮ କୋଟି ୯୭ ଲକ୍ଷ ଟଙ୍କାର ଲୋନ୍ ଅଛି । ଅନ୍ୟପକ୍ଷରେ ପତ୍ନୀଙ୍କ ନାମରେ ୧୪ କୋଟି ୨୬ଲକ୍ଷ ଟଙ୍କାର ଲୋନ୍ ରହିଛି ।
ଆୟ କେତେ ?
ଅଖିଳେଶଙ୍କ ବାର୍ଷିକ ଆୟ ୮୩.୯୮ ଲକ୍ଷ ଟଙ୍କା ବା ପାଖାପାଖି ୮୪ ଲକ୍ଷ ଟଙ୍କା । ଡିମ୍ପଲଙ୍କ ବାର୍ଷିକ ଆୟ ହେଉଛି ପାଖାପାଖି ୬୦ ଲକ୍ଷ ଟଙ୍କା ।
ପାଖରେ କେତେ ସାମଗ୍ରୀ ରହିଛି ?
ଅଖିଳେଶଙ୍କ ପାଖରେ ୫ ଲକ୍ଷ ୩୪ ହଜାର ଟଙ୍କାର ବ୍ୟୟାମ ମେସିନ୍ ଓ ୭୬ ହଜାର ଟଙ୍କାର ଫୋନ୍ ରହିଛି । ସେହିଭଳି ଡିମ୍ପଲଙ୍କ ପାଖରେ ୧ ଲକ୍ଷ ୨୫ ହଜାର ଟଙ୍କାର କମ୍ପ୍ୟୁଟର ଥିବାବେଳେ ୨୭୭୪ ଗ୍ରାମ ସୁନା ଓ ୫୯ ଲକ୍ଷ ୭୬ ହଜାର ୬୮୭ ଟଙ୍କାର ହୀରା ଅଛି । ତେବେ ଉଭୟଙ୍କ ପାଖରେ କୌଣସି କାର ନଥିବା ଜଣା ପଡୁଛି । କାରଣ ସତ୍ୟପାଠରେ କାର ବାବଦରେ କୌଣସି ତଥ୍ୟ ଦିଆଯାଇନାହିଁ ।
ବାପାଙ୍କୁ ଦେଇଛନ୍ତି ଲୋନ୍
ଅଖିଳେଶ ବାପା ମୁଲାୟଙ୍କୁ ୨ କୋଟି ୧୩ ଲକ୍ଷ ଟଙ୍କା ଲୋନ୍ ଦେଇଥିବା ସତ୍ୟପାଠରୁ ଜଣା ପଡୁଛି । ସେହିଭଳି ଡିମ୍ପଲ ସ୍ୱାମୀ ଅଖିଳେଶଙ୍କୁ ୮ ଲକ୍ଷ ୧୫ ହଜାର ଟଙ୍କା ଦେଇଥିବା ଜଣା ପଡିଛି ।
2019 କେତେ ଥିଲା ସମ୍ପତି ?
୨୦୧୯ ସାଧାରଣ ନିର୍ବାଚନ କାଳରେ ଅଖିଳେଶ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ 3,91,040 ଟଙ୍କା ଥିବା କହିଥିଲେ । ସେହିଭଳି ତାଙ୍କ ପତ୍ନୀଙ୍କ ପାଖରେ 4,03,743 ଟଙ୍କା ଥିବା ଉଲ୍ଲେଖ କରିଥିଲେ । ୭ ଟି ସେଭିଂ ଆକାଉଣ୍ଟ୍ ଓ ଦୁଇଟି ଫିକ୍ସଡ୍ ଡିପୋଜିଟ୍ ଥିବା କଥା ମଧ୍ୟ ସେତେବେଳେ ଅଖିଳେଶ ଉଲ୍ଲେଖ କରିଥିଲେ । ଏଫଡିରେ ପାଖାପାଖି ୭ ଲକ୍ଷ ଟଙ୍କା ଜମା ଥିଲା । ୬ ସଂଚୟ ଖାତାରେ ୫ କୋଟି ୨୩ ଲକ୍ଷ ଜମା ଥିବା କଥା ସେତେବେଳେ ଅଖିଳେଶ କହିଥିଲେ ।