ଜମିଲାଣି ବାଣ ବଜାର: ଜଟଣୀ ବାଣର ଚାହିଦା ଅଧିକ

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏବେଠାରୁ ଲୋକେ ପ୍ରସ୍ତୁତି ଚଳାଇଲେଣି । ଏଥିସହିତ ବାଣ ବଜାର ବି ଜମିଲାଣି । ବାଣ ପାଇଁ ଜଟଣୀକୁ ହବ୍ କୁହାଯାଇଥାଏ । ଏଠାରେ ଗଣେଶ ପୂଜା ପରଠାରୁ ବାଣ ବିକ୍ରି ଆରମ୍ଭ ହୋଇଯାଇଥାଏ । ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଭୁବନେଶ୍ୱର, କଟକ ଭଳି ଅନେକ ଜିଲ୍ଲାରୁ ବ୍ୟବସାୟୀ ଆସି ଏଠାରୁ ବାଣ କିଣି ଖୁଚୁରା ବେପାର କରିଥାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ବାଣ ସହିତ ତାମିଲନାଡୁର ଶିବକାଶୀରୁ ବିପୁଳ ବାଣ ଏଠାକୁ ଆମଦାନୀ ହୋଇଥାଏ । ବର୍ଷସାରା ବିବାହ, ବ୍ରତ ଓ ଯାନିଯାତ୍ରା ପାଇଁ ଲୋକେ ଏଠାରୁ ବାଣ କିଣନ୍ତି । ତେବେ ପାର୍ବଣ ସମୟରେ ବେପାର ଭଲ ହୁଏ । ବ୍ୟବସାୟୀମାନେ ମଧ୍ୟ ସରକାରଙ୍କୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଟିକସ ଦେଇଥାନ୍ତିି ।

ଗାଇଡ଼ଲାଇନ୍‌ରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ

ଜଟଣୀ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ । ଏଠାରେ ସିଜିନ୍ ଅନୁସାରେ ବିଭିନ୍ନ ଜିନିଷ ହୋଲସେଲ୍ ଦରରେ ତଥା ବଜାର ଅପେକ୍ଷା କମ୍ ଦାମରେ ମିଳିଥାଏ । ଗମନା ଗମନ ସୁବିଧା ଥିବାରୁ ଦୋକାନୀ ଓ ଗ୍ରାହକମାନେ କିଣିବାକୁ ଏଠାକୁ ଛୁଟି ଆସିଥାନ୍ତି । ତେଣୁ ଜଟଣୀ ବାଣର ଚାହିଦା ଟିକେ ଅଧିକ । ଚଳିତବର୍ଷ ମଧ୍ୟ ଜଟଣୀରେ ବାଣ ବ୍ୟବସାୟ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ପୋଲିସ ନିକଟରେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ଏଥିସହ ଅସ୍ଥାୟୀ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଜଟଣୀ ଷଣ୍ଢପୁରରେ ଜାଗା ଚିହ୍ନଟ କରାଯାଇଛି । ସରକାରୀ ଗାଇଡଲାଇନ୍ ଅନୁସାରେ ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚଳିତବର୍ଷ ଶିବକାଶୀରୁ ଅର୍ଡର ତୁଳନାରେ କମ୍ ବାଣ ଆସିଥିବା ଜଣାପଡ଼ିଛି ।

ତାମିଲନାଡ଼ୁରୁ ଆସିଛି  ସ୍ୱତନ୍ତ୍ର ବାଣ

ଲୋକଙ୍କ ଚାହିଦାକୁ ନଜରରେ ରଖି ଏଠାକାର ହୋଲସେଲ୍ ବ୍ୟବସାୟୀମାନେ ତାମିଲନାଡୁର ଶିବକାଶୀରୁ କୋଟି କୋଟି ଟଙ୍କାର ବାଣ ଆଣିଥାନ୍ତି । ପ୍ରଦୂଷଣ ଜନିତ କଟକଣା ପାଇଁ ଦେଶୀବାଣ ବିକ୍ରି ଉପରେ ରୋକ୍ ଲଗାଯାଇଛି । କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯାଇଛି । ତେଣୁ ଚଳିତବର୍ଷ ଅଧିକ ସବୁଜ ବାଣ ବିକ୍ରି ହେବା ନେଇ ବ୍ୟବସାୟୀ ଆଶା ରଖିଛନ୍ତି । ଅନ୍ୟପଟେ ଦୀପାବଳି ପାଇଁ ଜଟଣୀରେ ଖୁଚୁରା ବ୍ୟବସାୟୀଙ୍କୁ ବେପାର କରିବାକୁ ୪ ଦିନ ସମୟ ଦିଆଯାଇଛି । ସେହିପରି ହୋଲସେଲ୍ ବ୍ୟବସାୟୀଙ୍କୁ ୧୫ଦିନ ସମୟ ଦିଆଯାଇଛି । ଏହାରି ମଧ୍ୟରେ ବ୍ୟବସାୟୀମାନେ ଯେଉଁ ସ୍ଥାନରେ ବ୍ୟବସାୟ କରିବାକୁ ଅନୁମତି ନେଇଥିବେ, କେବଳ ସହି ସ୍ଥାନରେ ଦୋକାନ କରିବେ ।

ବଜାରକୁ ଆସିଛି ଡ୍ରୋନ୍‌, ହେଲିକପ୍ଟର ଓ ମିସାଇଲ ବାଣ

ଚଳିତବର୍ଷ ବଜାରକୁ ନୂଆକରି ଡ୍ରୋନ୍‌, ହେଲିକପ୍ଟର ଓ ମିସାଇଲ ବାଣ ଆସିଛି । ସେଗୁଡ଼ିକର ଦାମ୍ ୨୫୦ ରୁ ୩୦୦ ଟଙ୍କା ରହିଛି । ସେହିପରି ଆଇଟମ ଚକ୍ର, ଫୁଲଝରି, ଆକାଶ ଛତା (ବିଭିନ୍ନ ରଙ୍ଗ), ବନ୍ଧୁକ, ରୋଲ କ୍ୟାପ, କଲର କୁମ୍ପି , ଡିଲକ୍ସ କ୍ରାକ,ର୍ ଲାୟନ କିଙ୍ଗ, ଡ୍ରୋନ୍ ଜମ୍ପର, ରସୁଣ ବାଣ, ମ୍ୟୁଜିକାଲ୍ ରୋଲ୍‌, ବଟର ଫ୍ଲାଏ, ଚକଲେଟ୍ ବମ୍‌, ବକ୍ସ ବମ୍‌, ହାବେଳି, ସ୍କାଏ ସଟ୍‌, ଫଟୋ ଫ୍ଳାସ୍‌, ଗଙ୍ଗା ଯମୁନା ବମ୍‌, ଲଙ୍କା ବମ୍‌, ରକେଟ୍ ଭଳି ଫ୍ୟାନ୍ସି ବାଣ ସହ ହାତ ତିଆରି ବାଣ ମଧ୍ୟ ମିଳୁଛି । ବିଗତବର୍ଷ ଅପେକ୍ଷା ଚଳିତ ବର୍ଷ ବାଣ ଦର ଟିକେ କମ ରହିଥିବା ଜଣାପଡ଼ିଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଭଲ ବେପାର ହେବା ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି ।

drones helicopters and missiles in the marketjatani firework marketjatani market
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami