କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର ମାପକଠି ଠିକ୍ ସେହିଭଳି କରିସ୍ମା କରିଦେଖାଇଛନ୍ତି ସୋନିଆ ଗାନ୍ଧି । କଂଗ୍ରେସରେ ଗାନ୍ଧୀ ପରିବାର ପାଇଁ ଥିବା କଣ୍ଟା ସବୁକୁ ସୋନିଆ ସଫଳତାର ସହ ହଟାଇ ଦେଇଛନ୍ତି । କାହାକୁ ଉପହାର ଦେଇ ନିଜ ପଟକୁ ଆଣିଛନ୍ତି ତ’ କାହାକୁ ବାହାର ରାସ୍ତା ଦେଖାଇ ଦଳରୁ ବିଦା କରିଛନ୍ତି । ଏମିତି କରି ସୋନିଆ ସାବ୍ୟସ୍ତ କରିଛନ୍ତି ଯେ, ଆଜିକା ସମୟରେ ସେ ଦେଶର କୁଶଳ ରାଜନୀତିଜ୍ଞଙ୍କ ମଧ୍ୟରୁ ଜଣେ । ଜି-୨୩ର ବିଦ୍ରୋହୀଙ୍କୁ ସୋନିଆ ନିଜ ଷ୍ଟାଇଲରେ ସିଧା କରିଛନ୍ତି ଠିକ୍ ସେମିତି ଯେମିତି ସେ ୧୯୯୮ ଓ ୧୯୯୯ରେ ଦଳରେ ଥିବା ନିଜ ବିରୋଧୀଙ୍କୁ ନିରବ କରିଥିଲେ ।
ଆଜାଦ, ଆନନ୍ଦଙ୍କୁ ଅଫର
ହଲିଉଡ୍ ଫିଲ୍ମ ‘ଦ ଗଡ୍ ଫାଦର’ରେ ଗୋଟିଏ ଡାଇଲଗ ଅଛି । ଯେଉଁଥିରେ ମାଫିଆ ଡନ୍ ଭିଟୋ କାରଲିଓନ୍ କହୁଛି ଯେ, ମୁଁ ତାକୁ ଏମିତି ଅଫର ଦେବି ଯାହାକୁ ସେ କେବେ ମଧ୍ୟ ଏଡାଇ ପାରିବ ନାହିଁ । ଜି-୨୩ର କିଛି ବିଦ୍ରୋହୀ ନେତାଙ୍କୁ ସୋନିଆ ଠିକ୍ ସେମିତି ଅଫର ଦେଇଥିଲେ ଯାହାକୁ ସେମାନେ ମନା କରିପାରିନଥିଲେ । ଜି-୨୩ର ଛାମୁଆଁ ମୁହଁ ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମାଙ୍କୁ ସୋନିଆ ନିଜେ ସାକ୍ଷାତ କରିଥିଲେ ଓ ସେମାନଙ୍କୁ ପାର୍ଟିର ଟାସ୍କ୍ ଫୋର୍ସରେ ସାମିଲ ହେବାକୁ ଅଫର ଦେଇଥିଲେ । କେବଳ ଏତିକି ନୁହେଁ ବୋନସ ଭାବେ ଉଭୟଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ଅଫର ଦେଇଥିଲେ । ଏହା ଏଭଳି ପ୍ରସ୍ତାବ ଥିଲା ଯାହାକୁ ଉଭୟ ବିଦ୍ରୋହୀ ପ୍ରତ୍ୟାଖାନ କରି ପାରିନଥିଲେ ।
ଗାନ୍ଧୀ ପରିବାରକୁ ମିଳୁଥିବା ଚ୍ୟାଲେଂଜ୍ ଖତମ
ଚିନ୍ତନ ଶିବିର ପରେ ମିଶନ ୨୦୨୪ ପାଇଁ ଟାସ୍କ ଫୋର୍ସ ଗଠନ କରି ସୋନିଆ ଗୋଟିଏ କଥା ସ୍ପଷ୍ଟ କରିଦେଇଛନ୍ତି ଯେ, କଂଗ୍ରେସ ପୁରୁଣା କଥା ଭୁଲି ଆଗକୁ ବଢିବା ପାଇଁ ପ୍ରସ୍ତୁତ । ଏହା ସହିତ କପିଲ ସିବ୍ବଲଙ୍କୁ ମନାଇବାକୁ ଚେଷ୍ଟା ନକରି ସୋନିଆ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ଏବେ ଅସନ୍ତୁଷ୍ଟଙ୍କୁ ଆଉ ଅଧିକ ଗୁରୁତ୍ୱ ଦେବ ନାହିଁ ଓ ଗାନ୍ଧୀ ପରିବାକୁ ଚ୍ୟାଲେଂଜ୍ କରିବା ଭଳି ଏବେ ଦଳରେ କେହି ନାହାନ୍ତି । ଜି-୨୩ରେ ସାମିଲ ଥିବା ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁ଼୍ଡ୍ଡାଙ୍କୁ ସୋନିଆ ନିଜ ପଟକୁ ଆଣିବାରେ ସଫଳ ହୋଇଛନ୍ତି । ହୁଡ୍ଡା ଜି-୨୩ର ଏକମାତ୍ର ନେତା ଥିଲେ ଯାହାଙ୍କର ତୃଣମୂଳସ୍ତରରେ ଦବଦବା ରହିଛି । ଚିନ୍ତନ ଶିବିର କାଳରେ ହୁଡ୍ଡାଙ୍କୁ ଖୁବ ସମ୍ମାନ ମିଳିଥିଲା ।
ଟାସ୍କ ଫୋର୍ସ : ଗୋଟିଏ ତୀରରେ ଅନେକ ନିଶାନା
ବୈଠକ ପରେ କଂଗ୍ରେସ ମିଶନ ୨୦୨୪ ପାଇଁ ଗୋଟିଏ ଟାସ୍କ ଫୋର୍ସ ଓ ରାଜନୈତିକ ମାମଲା ଗ୍ରପ୍ ଗଠନ କରିଛି । ରାଜନୈତିକ ମାମଲା କମିଟିରେ ଜି-୨୩ର ଆଜାଦ, ଆନନ୍ଦଙ୍କ ସହିତ ରାହୁଲ ଅଛନ୍ତି ।ସେହିଭଳି ଟାସ୍କ ଫୋର୍ସରେ ପି ଚିଦାମ୍ବରମ,ମୁକୁଲ ୱାସନିକ,ଜୟରାମ ରମେଶ,କେ ସି ବେଣୁଗୋପାଳ,ଅଜୟ ମାକନ,ପ୍ରିୟଙ୍କା ଗାନ୍ଧୀ ରହିଛନ୍ତି ।
ସିବ୍ବଲ ଦଳ ଛାଡିଲେ ଓ ସୋନିଆଙ୍କ ମିଶନ ସଫଳ
ପ୍ରକୃତରେ ଜି-୨୩ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କପିଲ ସିବ୍ବଲ କଂଗ୍ରେସର ନେତୃତ୍ୱ ଗାନ୍ଧୀ ପରିବାର ହାତରୁ ଆଉ କାହା ହାତକୁ ଯାଉ ବୋଲି ଦାବି କରିଥିଲେ । ଏଭଳି ଦାବିକୁ ନେଇ ଜି-୨୩ରେ ତାଙ୍କ ସହିତ ଥିବା ଅନ୍ୟ ବିଦ୍ରୋହୀ ନେତା ଅସହଜ ଥିଲେ । ପାର୍ଟି ପକ୍ଷରୁ କପିଲଙ୍କୁ ଚିନ୍ତନ ଶିବିରକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ଯାଇନଥିଲେ । କାରଣ ସେ ଜାଣିଥିଲେ ତାଙ୍କ କଥା ଶୁଣାଯିବାର ନାହିଁ । ସ ଚିନ୍ତନ ଶିବିର ଶେଷ ହେବାର ମାତ୍ର ଗୋଟିଏ ଦିନ ପରେ ଦଳରୁ ଇସ୍ତଫା ଦେଇଥିଲେ । କପିଲ ସିବ୍ବଲ ଦଳ ଛାଡିବା ସହିତ ଗାନ୍ଧୀ ପରିବାରକୁ ନିଶାନାକୁ ନେଇଥିବା ଶେଷ କଣ୍ଟା ମଧ୍ୟ ଦଳରୁ ବିଦା ହୋଇଥିଲେ । ଆଉ ଏହା ସହିତ ସୋନିଆଙ୍କ ମିଶନ ସଫଳ ହୋଇଥିଲା ।