୨୦୨୨ ନଭେମ୍ବର ୨୭ ତାରିଖ । ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ରେଡ୍ ମାର୍କ୍ ଷ୍ଟାଇଲରେ ଗୋଟିଏ କାଗଜରେ ଲେଖିକି ଦେଇଦେଲେ ଗୁଜରାଟରେ ଆପ୍ ସରକାର ଗଢିବ । ସେହିଭଳି ଆଉ ଏକ ସ୍ଥାନରେ ସେ କହିଥିଲେ ଯେ, ଆଇବି ରିପୋର୍ଟ ଅନୁସାରେ ଗୁଜରାଟରେ ଆପ୍ ସରକାର ଆସୁଛି । ତେଣୁ ବିଜେପି ଭୟଭୀତ । ଗୁରୁବାର ଦିନ ଫଳାଫଳରୁ କିନ୍ତୁ ସ୍ପଷ୍ଟ ହୋଇଛି ଯେ,ଆପ୍ ସରକାର ଗଢିନି । ଓଲଟା ବିଜେପି ଐତିହାସିକ ଜନାଦେଶ ପାଇଛି । ତେବେ ଏହି ଜନାଦେଶର ଆଉ ଗୋଟିଏ ଦୀଗ ହେଉଛି ଯେ, ମାତ୍ର ୫ ଆସନ ଜିତିଥିବା ଆପ୍ କିନ୍ତୁ ଜାତୀୟ ଦଳର ମାନ୍ୟତା ପାଇଛି । ଆଉ ଏହା ସହିତ ଆପ୍ ଗୁଜରାଟରେ କଂଗ୍ରେସର କବର ଖୋଳିଛି ବୋଲି କୁହାଯାଉଛି ।
ପ୍ରଥମ ଦୃଷ୍ଟିରେ ଲାଗୁଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଦାବି ମିଥ୍ୟା ସାବ୍ୟସ୍ତ ହୋଇଛି । କିନ୍ତୁ ଗୁଜରାଟ ଗଣିତ ଏତେ ସିଧା ନୁହେଁ । ଝାଡୁକୁ ଭୋଟ୍ ଦେଇଥିବା ଭୋଟରଙ୍କ ପ୍ରତିଶତ ୦.୬୨ରୁ ବଢି ୧୨.୯ ପ୍ରତିଶତ ହୋଇଛି । ୧୮୨ ଆସନରୁ ୩୫ରେ ଆପ୍ ନମ୍ବର ଦୁଇ ଭାବେ ଉଭା ହୋଇଛି । ଜିତିଥିବା ଆସନ ଓ ବାକି ୩୫ ଆସନ ଯେଉଁଠି ଆପ୍ ଦ୍ୱିତୀୟ ସ୍ଥାନରେ ଅଛି,ତାକୁ ଯଦି ମିଶାଯାଏ ତେବେ ଏହି ସଂଖ୍ୟା ୪୦ ହେବ ।
୨୦୨୨ରେ ପଂଜାବରେ ଆପ୍ ସରକାର ଆସିବା ପୂର୍ବରୁ ୨୦୧୭ରେ ଆମ୍ ଆଦମୀ ପାର୍ଟି ପ୍ରାୟ ଏହି ଢଙ୍ଗରେ ପଂଜାବ ରାଜନୀତି ମଧ୍ୟକୁ ଧସେଇ ପସିଥିଲା । ସେତେବଳେ ଆପ୍ ୨୦ ଆସନ ଜିତିଥିଲା,୨୭ ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା । ଏହାର ୫ ବର୍ଷ ପରେ ଆପ୍ ପଂଜାବରେ ରେକର୍ଡ୍ ସଂଖ୍ୟକ ୯୨ ଆସନ ଜିତି ସରକାର ଗଠନ କରିଥିଲା ।
କଂଗ୍ରେସର ୧୨ ପ୍ରତିଶତ ଭୋଟ୍ ଆପକୁ ଟ୍ରାନସଫର
କଂଗ୍ରେସ ଯେଉଁଭଳି ଭାବେ ଗୁଜରାଟ୍ ମୈଦନରୁ ଗାଏବ ଥିଲା ତାର ବଡ଼ ଫାଇଦା ଆପକୁ ମିଳିଛି । ୨୦୧୭ରେ କଂଗ୍ରେସ ବିଜେପିକୁ ଜବରଦସ୍ତ ଟକ୍କର ଦେଇଥିଲା । ସେତେବେଳେ କଂଗ୍ରେସର ଭୋଟ୍ ସେୟାର ଥିଲା ୪୨.୯୭ ପ୍ରତିଶତ । ୨୦୨୨ରେ କଂଗ୍ରେସ ଭୋଟ୍ ସେୟାର ହ୍ରାସ ପାଇ ୨୭ ପ୍ରତିଶତ ହୋଇଛି । ଅନ୍ୟପକ୍ଷରେ ଆପ୍ ଭୋଟ୍ ସେୟାର ୧୨.୯ ପ୍ରତିଶତ ହୋଇଛି । କଂଗ୍ରେସ ଭୋଟର ଆପକୁ ବାଛିଥିବା କୁହାଯାଉଛି । ଫଳରେ ଆପ୍ ୫ ଆସନ ଜିତି ୩୫ରେ ଦ୍ୱିତୀୟ ସ୍ଥାନରେ ରହିଛି । ଯାହାର ଅର୍ଥ ହେଉଛି ଆପ୍ ବିରୋଧୀ ଦଳ ହେବା ଆଡକୁ ଗତି କରୁଛି ।
୨୦୧୭ରେ ୨୯ ହଜାର,୨୦୨୨ରେ ୪୦ ଲକ୍ଷରୁ ଅଧିକ ଭୋଟ୍
ଆମ୍ ଆଦମୀ ପାର୍ଟି ଗୁଜରାଟରେ କାୟା ବିସ୍ତାର କରୁଛି । ୨୦୧୭ରେ ଏହା ୨୯ ହଜାର ଭୋଟ୍ ପାଇଥିଲା । ଏଥର ଏହି ସଂଖ୍ୟା ୪୦ ଲକ୍ଷରୁ ଅଧିକ । ୨୦୧୭ରେ ଆପର ସମସ୍ତ ପ୍ରାର୍ଥୀଙ୍କ ଜମାନତ ଜବତ ହୋଇଥିଲା । ସେତେବେଳେ ଛୋଟା ଉଦୟପୁରର ଆପ୍ ପ୍ରାର୍ଥୀ ଅର୍ଜୁନ ଭାଇ ସର୍ବାଧିକ ୪୫ ଶହ ଭୋଟ୍ ପାଇଥିଲେ ।
ଆପ୍ ଏବେ ଜାତୀୟ ଦଳ
ଗୁଜରାଟ ନିର୍ବାଚନ ସହିତ ଆପ୍ ଜାତୀୟ ଦଳର ମାନ୍ୟତା ପାଇଛି । ଜାତୀୟ ଦଳର ମାନ୍ୟତା ପାଇଁ ଆପ ହିମାଚଳ ଓ ଗୁଜରାଟରେ ୬ ପ୍ରତିଶତ ଭୋଟ୍ ପାଇବାର ଆବଶ୍ୟକତା ଥିଲା । ଗୁଜରାଟରେ ଏହାକୁ ପ୍ରାୟ ୧୩ ପ୍ରତିଶତ ଭୋଟ୍ ମିଳିଛି । ଫଳରେ ଏବେ ଏହା ଜାତୀୟ ଦଳ ଭାବେ ଉଭା ହୋଇଛି । କୌଣସି ଦଳ ପାଇଁ ଜାତୀୟ ଦଳର ମାନ୍ୟତା ପ୍ରାପ୍ତି ପାଇଁ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ୪ ରାଜ୍ୟରେ ୬ ପ୍ରତିଶତ ଭୋଟ୍ ପାଇବାର ଆବଶ୍ୟକତା ରହିଛି । ଆପ୍ ଆଗରୁ ଗୋଆ,ଦିଲ୍ଲୀ ଓ ପଂଜାବରେ ୬ ପ୍ରତିଶତରୁ ଅଧିକ ଭୋଟ୍ ସେୟାର ପାଇ ସାରିଛି ।