୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ

ଚାଷୀଙ୍କ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି । ବିରୋଧୀ କହୁଛନ୍ତି ଅହଙ୍କାରର ଅନ୍ତ ହୋଇଛି । ସୋସିଆଲ ମିଡିଆ କହୁଛି ଝୁକତି ହୈ ଦୁନିଆ ଝୁକାନେ ବାଲା ଚାହିଏ । ଉତ୍ତର ପ୍ରଦେଶ ଓ ପଂଜାବ ଭଳି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବର ସେମିଫାଇନାଲ । ବିଜେପିକୁ ଯଦି ଲମ୍ବା ଇନିଂସ ଖେଳିବାର ଅଛି ତେବେ ଉତ୍ତର ଭାରତ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଥିବା ଚାଷୀଙ୍କୁ ଶାନ୍ତ କରିବା ଗୈରିକ ଦଳର ପ୍ରଥମ ଆବଶ୍ୟକତା ଥିଲା । ତେଣୁ ଦଳ ଭୋଟ୍ ପାଇଁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ବୋଲି ସମାଲୋଚକ କହୁଛନ୍ତି । ନିଶ୍ଚିତ ଭାବେ ଚାଷ ଆଇନ ପ୍ରତ୍ୟାହାର ପଛରେ ଭୋଟ୍ ଅଙ୍କର ବଡ଼ ଭୂମିକା ରହିଛି । କିନ୍ତୁ ଇତିହାସର ଫର୍ଦ୍ଦ ଯଦି ଓଲଟା ଯାଏ ତେବେ ଦେଖିବାକୁ ମିଳିବ ଯେ, ଯେତେବେଳେ ଚାଷୀ ବିଲ ଛାଡି ରାସ୍ତା ଉପରକୁ ଆସିଛନ୍ତି ସେତେବେଳେ ଶକ୍ତିଶାଳୀ ସାମ୍ରାଜ୍ୟ ମଧ୍ୟ ନତମସ୍ତକ ହେବାକୁ ବାଧ୍ୟ ହୋଇଛି । ଗତ ୧୧୫ ବର୍ଷର ଇତିହାସରେ ୪ଥର ଚାଷୀ ସରକାରକୁ ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି । କେତେବେଳେ ସହିଦ ଭଗତ ସିଂହଙ୍କ ଦାଦା ଅଜିତ ସିଂହ ବ୍ରିଟିଶ ସାମ୍ରାଜ୍ୟକୁ ଚାଷୀଙ୍କ ଆଗରେ ଅସ୍ତ୍ରତ୍ୟାଗ ପାଇଁ ବାଧ୍ୟ କରିଛନ୍ତି ତ’ କେତେବେଳେ ରାକେଶ ଟିକାଏତଙ୍କ ବାପାଙ୍କ ଆଗରେ ରାଜୀବ ଗାନ୍ଧୀଙ୍କ ସରକାର ଆତ୍ମସମର୍ପଣ କରିଥିଲା । ଆସନ୍ତୁ ନଜର ପକାଇବା ସେଇ ୧୧୫ ବର୍ଷର ଇତିହାସ ଉପରେ, ଯେତେବେଳେ ସରକାର ଚାଷୀଙ୍କ କଥା ମାନିବାକୁ ବାଧ୍ୟ ହୋଇଥିଲେ…

୧୯୦୭ : ପଗଡ଼ି ସମ୍ଭାଲ ଜତ୍ତା ଲହର

୧୯୦୭ରେ ବ୍ରିଟିଶ ସରକାର ୩ଟି କୃଷି ଆଇନ ଆଣିଥିଲେ । ଏହି ଆଇନ ଭିତରୁ ଗେୋଟିଏ ସରକାରଙ୍କୁ ଚାଷୀର ଜମି ଜବତ କରିବା ଅଧିକାର ଦେଇଥିଲା । ଯାହା ବିରୋଧରେ ସହିଦ ଭଗତ ସିଂହଙ୍କ ଦାଦା ଅଜିତ ସିଂହ ପଗଡ଼ି ସମ୍ଭାଲ ଜତ୍ତା ଲହର ଆନ୍ଦୋଳନ ଆରମ୍ଭ କରିଥିଲେ । ପଂଜାବ ଔପନିବେଶକ ଆଇନ, ବର୍ଦ୍ଧିତ କର ଓ ପାଣି ରେଟ୍ ବିରୋଧରେ କୃଷକ ଆନ୍ଦୋଳନ ଆରମ୍ଭ କରିଥିଲେଆନ୍ଦୋଳନର ତିବ୍ରତା ବ୍ରିଟିଶ ସରକାରଙ୍କୁ ଡରାଇ ଦେଇଥିଲା । ବ୍ରିଟିଶ ସରକାର ଭାବିଥିଲେ ଯେ, ଏହାର ପ୍ରଭାବରେ ବ୍ରିଟିଶ ସେନାରେ ଥିବା ପଂଜାବୀ ସୈନିକ ବିଦ୍ରୋହ କରିବେ । ଏହି ଡର ପାଇଁ ମେ ୧୯୦୭ରେ ବ୍ରିଟିଶ ସରକାର ଆଇନକୁ ରଦ୍ଦ କରିଥିଲେ । ଅବଶ୍ୟ ଅଜିତ ସିଂହ ଓ ଲାଲା ଲାଜପତ ରାୟଙ୍କୁ ଏଥିପାଇଁ ବର୍ମାର ମାଣ୍ଡଲା ଜେଲରେ ୬ ମାସ ବିତାଇବାକୁ ପଡିଥିଲା ।

ସାର ଛୋଟୁରାମଙ୍କ ଆନ୍ଦୋଳନ : ବ୍ରିଟିସ ସରକାର ବାଧ୍ୟରେ ଦେଇଥିଲେ ନାଇଟ୍ ଉପାଧି

ସାର ଛୋଟୁରାମ ଓରଫ ଦିନବନ୍ଧୁ ଚୌଧୁରୀଙ୍କୁ ବ୍ରିଟିଶ ସରକାର ୧୯୩୭ରେ ନାଇଟ୍ ଉପାଧି ପ୍ରଦାନ କରିଥିଲେ । କୃଷକଙ୍କ ଅଧିକାର ପାଇଁ ତାଙ୍କ ଆନ୍ଦୋଳନ ଯୋଗୁ ସେ ଚାଷୀଙ୍କ ତ୍ରାଣକର୍ତ୍ତା ଭାବେ ପରିଚିତ ଥିଲେସାର ଛୋଟୁରାମଙ୍କ ପାଇଁ ୧୯୩୮ ମସିହାରେ ସାହୁକାର ପଂଜିକରଣ ଆଇନ ଆସିଥିଲା । ଏହି ଆଇନ ଅନୁସାରେ କୌଣସି ସାହୁକାର ପଂଜିକରଣ ନକରିଥିଲେ କାହାରିକି ସୁଧରେ କରଜ ଦେଇ ପାରିବେ ନାହିଁ । ଏହା ସହିତ ଚାଷୀଙ୍କ ବିରୋଧରେ ଅଣପଂଜିକୃତ ସାହୁକାର ଅଦାଲତକୁ ଯାଇ ପାରିବେ ନାହିଁ । ସେହିଭଳି ସାର ଛୋଟୁରାଙ୍କ ପାଇଁ ଚାଷୀ ସେମାନଙ୍କ ବନ୍ଧା ପଡିଥିବା ଜମି ଫେରିପାଇଥିଲେ । ୧୯୩୮ ମସିହାରେ ଆସିଥିବା ଆଇନ ଅନୁସାରେ ୧୯୦୧ ପରେ ଯେଉଁ ଜବତ ଜମିକୁ ନିଲାମ ଜରିଆରେ ବିକ୍ରି କରାଯାଇଥିଲା କିମ୍ବା ୩୭ ବର୍ଷ ଧରି ବନ୍ଧା ପଡିଥିଲା ତାହା ଚାଷୀଙ୍କୁ ମାଗଣାରେ ଫେରାଇ ଦିଆଗଲା । ସେହିଭଳି ଛୋଟୁରାମଙ୍କ ପାଇଁ ଋଣ କ୍ଷମା ଆଇନ ମଧ୍ୟ ଆସିପାରିଥିଲା । ଏହି ଆଇନ ଅନୁସାରେ ଯଦି କରଜକାରୀ ଚାଷୀ ନେଇଥିବା ଋଣରାଶିଠାରୁ ଦୁଇ ଗୁଣ ଅଧିକ ସୁଧ ଦେଇ ସାରିଛନ୍ତ ତେବେ ତାଙ୍କ କରଜ ମାଫ କରିଦିଆଯିବ ।

ବାବା ଟିକାଏତ ଦିଲ୍ଲୀକୁ ଅଚଳ କରିଦେଇଥିଲେ

୩୨ ବର୍ଷ ତଳେ ରାକେଶ ଟିକାଏତଙ୍କ ପିତା ତଥା ଭାରତୀୟ କିଶାନ ୟୁନିୟନର ପ୍ରତିଷ୍ଠାତା ମହେନ୍ଦ୍ର ପ୍ରତାପ ସିଂ ଟିକାଏତ ଦିଲ୍ଲୀକୁ ଏକରକମ ଠପ୍ କରିଦେଇଥିଲେ । ତାଙ୍କ ଆହ୍ୱାନରେ ୫ ଲକ୍ଷ ଚାଷୀ ଦିଲ୍ଲୀରେ ଡେରା ପକାଇଥିଲେ । ସେତେବେଳେ ଦେଶରେ ରାଜୀବ ଗାନ୍ଧୀଙ୍କ ସରକାର ଥିଲା । ରାଜୀବ ୪୧୪ ଆସନ ସହିତ ମଜବୁତ ସ୍ଥିତିରେ ଥିଲେ । କିନ୍ତୁ ଦିଲ୍ଲୀ ତାଙ୍କ କବଜାରେ ନୁହେଁ ମହେନ୍ଦ୍ର ଟିକାଏତଙ୍କ ଅଧିକାରରେ ଥିଲା । ମହେନ୍ଦ୍ର ଟିକାଏତ ଆଲୋଚନା ପାଇଁ ସରକାର ପାଖକୁ ଯିବାରେ ବିଶ୍ୱାସ କରୁନଥିଲେ । ବରଂ ସେ ସରକାରଙ୍କୁ ତାଙ୍କ ପାଖକୁ ଆସିବାକୁ ବାଧ୍ୟ କରୁଥିଲେ । ୨୫ ଅକ୍ଟୋବର ୧୯୮୮ରେ ଟିକାଏତ ସିନିୟର ଦିଲ୍ଲୀର ବୋଟ୍ କ୍ଲବରେ ନିଜ ତମ୍ବୁ ପକାଇଥିଲେ । ତାଙ୍କ ସହିତ ଥିଲେ ୧୪ ରାଜ୍ୟରୁ ଆସିଥିବା ୫ ଲକ୍ଷ ଚାଷୀ । ଏହାପରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ଚାଷୀଙ୍କ ଅକ୍ତିଆରକୁ ଆସିଯାଇଥିଲା । ୭ ଦିନ ପାଇଁ ଦିଲ୍ଲୀ ଅଚଳ ହୋଇଥିଲାଫଳରେ ତତ୍କାଳୀନ ସରକାର ମାତ୍ର ୭ ଦିନରେ ମହେନ୍ଦ୍ରଙ୍କ ଆଗରେ ଆତ୍ମସମର୍ପଣ କରି ସବୁ ଦାବି ମାନି ନେଇଥିଲେ ।

ଏବଂ ୨୦୨୦ର ଆନ୍ଦୋଳନ

୨୦୨୦ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ମଧ୍ୟ ୧୧୫ ବର୍ଷର ସେହି ୪ ଆନ୍ଦୋଳନ ଭିତରେ ସାମିଲ ହୋଇଛି । ଧାରା ୩୭୦ ଉଛେଦ କରିଥିବା ସରକାର ମଧ୍ୟ ଶେଷରେ ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ କ୍ଷମା ମଧ୍ୟ ମାଗିବାକୁ ପଡିଛି ।

1907 british empire three farm laws୧୯୦୭ରେ ବ୍ରିଟିଶ ସରକାର ୩ଟି କୃଷି ଆଇନbaba tikaitBhagat Singh grandfather is Ajit SinghBJP govtbritish empirefarm billsfarmersfarmers protestmodi govtpagdi sambhal jatta leharPagri Sambhal Jatta MovementPM Modirajiv gandhi govtrakesh tikait fatherrepealed farm lawsSir Chhotu Ramଚାଷ ଆଇନଚାଷୀପଗଡ଼ି ସମ୍ଭାଲ ଜତ୍ତା ଲହରବାବା ଟିକାଏତବିଜେପିବ୍ରିଟିଶଭଗତ ସିଂହଙ୍କ ଦାଦା ଅଜିତ ସିଂହରାକେଶ ଟିକାଏତଙ୍କ ବାପାଙ୍କ ଆଗରେ ରାଜୀବ ଗାନ୍ଧୀଙ୍କ ସରକାରରାଜୀବ ଗାନ୍ଧୀଙ୍କ ସରକାରସାର ଛୋଟୁରାମଙ୍କ ଆନ୍ଦୋଳନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami