ଗୋଟିଏ ସମୟରେ ହାଇଦ୍ରାବାଦର ନିଜାମ ଉସମାନ୍ ଅଲ୍ଲି ଖାନ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେଇ ନିଜାମ ଯିଏ ପାକିସ୍ତାନରେ ନିଜ ରାଜ୍ୟକୁ ମିଶାଇବାକୁ ଚାହୁଁଥିଲେ । ଏମିତିକି ପାକିସ୍ତାନରେ ମିଶି ନପାରିଲେ ମଧ୍ୟ ସ୍ୱାଧୀନ ହୋଇ ରହିବାକୁ ଚାହୁଁଥିଲେ । ଏଥିପାଇଁ ସେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ । ସେହି ନିଜାମଙ୍କ ସମ୍ପତି ସେତେବେଳେ ବ୍ରିଟିଶ ମିଡିଆ ଅନୁସାରେ ଥିଲା ୨୩୬ ଶହ କୋଟି ଡଲାର । ଆଜିକା ହିସାବରେ କେତେ ଲକ୍ଷ କୋଟି ଟଙ୍କା ତା’ ଆପଣ ହିସାବ କରନ୍ତୁ । ସେହି ନିଜାମ ପରେ ଭାରତ ପାକିସ୍ତାନ ଯୁଦ୍ଧ କାଳରେ ଭାରତ ସରକାରଙ୍କୁ ୫ ହଜାର କିଲୋ ସୁନା ଦାନ କରିଥିଲେ ବୋଲି ଶୁଣିବାକୁ ମିଳେ । ତେବେ ସତରେ କ’ଣ ନିଜାମ ଭାରତ ସରକାରଙ୍କୁ ୫ ହଜାର କିଲୋ ସୁନା ଦେଇଥିଲେ ?
୫ ହଜାର କିଲୋ ସୁନା କଥା କେଉଁଠୁ ଆସିଲା
ନିଜାମ ଭାରତ ସରକାରଙ୍କୁ ୧୯୬୫ ଭାରତ-ପାକ୍ ଯୁଦ୍ଧ କାଳରେ ୫ ହଜାର କିଲୋ ସୁନା ଦେଇଥିଲେ ବୋଲି ଶୁଣିବାକୁ ମିଳେ । ସୋସିଆଲ ମିଡିଆ ଯୁଗରେ ମଝିରେ ମଝିରେ ଫେସବୁକ ଓ ହ୍ୱାଟସଅପରେ ଏହି କଥାକୁ ତଥ୍ୟ ଭାବେ ପରସା ଯାଏ । ତେବେ ସତ କ’ଣ ଥିଲା ?
ନିକଟରେ ଜଣେ ସାମ୍ବାଦିକ ସତ୍ୟତା ଜାଣିବାକୁ ପ୍ରଧାନମନ୍ତ୍ରୀ ଅଫିସକୁ ଆରଟିଆଇ ଜରିଆରେ ତଥ୍ୟ ମାଗିଥିଲେ । ଜାତୀୟ ପ୍ରତିରକ୍ଷା କୋଷ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ଆସିଥାଏ । ପିଏମଓ ପକ୍ଷରୁ ଉତ୍ତର ଦିଆଯାଇଥିଲା ଯେ, ଆମ ପାଖରେ ଏଭଳି କୌଣସି ତଥ୍ୟ ନାହିଁ । ବାସ୍ତବରେ ଦେଶରେ ସେସମୟରେ ଯୁଦ୍ଧ ପାଇଁ ସୃଷ୍ଟି ଆର୍ଥିକ ସଂକଟର ମୁକାବିଲା ପାଇଁ ଅକ୍ଟୋବର ୧୯୬୫ରେ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ପ୍ରତିରକ୍ଷା ସ୍ୱର୍ଣ୍ଣ ଋଣ ଯୋଜନାରେ ନିଜାମ ୪୨୫ କିଲୋ ବା ୪ ଲକ୍ଷ ୨୫ ହଜାର ଗ୍ରାମ ସୁନା ନିବେଶ କରିଥିଲେ । ଏଥିପାଇଁ ସରକାର ସେତେବେଳେ ବାର୍ଷିକ ୬.୫ ପ୍ରତିଶତ ସୁଧ ପାଉଥିଲେ । ୧୯୬୫ରେ ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ନିଜାମ ଭେଟିଥିଲେ । ମାତ୍ର କେଇ ମିନିଟର ଏହି ସାକ୍ଷାତକାର ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିରକ୍ଷା ଫଣ୍ଡରେ ନିବେଶ ପାଇଁ ଶୁଭେଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ପରେ ଏକ ଜନସଭାରେ କହିଥିଲେ ଯେ, ନିଜାମ ଦେଇଥିବା ସୁନାରେ ବହୁ ପୁରୁଣା ଯୁଗର ସ୍ୱର୍ଣ୍ଣ ମୁଦ୍ରା ରହିଛି । ଆମେ ତାକୁ ତରଳାଇବାକୁ ଚାହୁଁନାହୁଁ । ଅଧିକ ମୂଲ୍ୟ ପାଇଁ ଆମେ ସେହି ସ୍ୱର୍ଣ୍ଣମୁଦ୍ରା ସବୁକୁ ବିଦେଶ ପଠାଇଲେ ଏକ କୋଟି ଟଙ୍କା ମିଳିବ ।
ଖୋଦ ନିଜାମଙ୍କ ନାତି ଜାଣିନାହାନ୍ତି ଏହି ଗୁଜବ କେଉଁଠୁ ଆସିଲା
ଜାତୀୟ ପ୍ରତିରକ୍ଷା କୋଷରେ ସୁନା ନିବେଶର ଅନେକ ଲାଭ ମିଳୁଥିଲା । ଏଥିପାଇଁ କାହାକୁ ସୁନା କେଉଁଠୁ ଆସିଲା ପ୍ରଶ୍ନ ପଚରା ଯାଉନଥିଲା । ଏହା ସହିତ ଆୟକର ରିହାତି ଥିଲା । ତେଣୁ ନିଜାମ ସୁନା ନିବେଶ କରିଥିଲେ । କିନ୍ତୁ ପରେ ପ୍ରଚାର ହେଲା ଯେ, ନିଜାମ ୫ ହଜାର କିଲୋ ସୁନା ଦାନ କରିଦେଇଥିଲେ । ଖୋଦ ନିଜାମଙ୍କ ନାତି ମଧ୍ୟ କହିଛନ୍ତି ଯେ, ତାଙ୍କ ଜେଜେ କେବେ ସୁନା ଦେଲେ ଓ କେଉଁଠୁ ଏହି ଖବର ଆସିଲା ସେ ଜାଣି ନାହାନ୍ତି ।