ଭୁବନେଶ୍ୱର: ଓଡ଼ିଶା ବିଜେପିକୁ କଟାକ୍ଷ କଲେ ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନେଇ ବିଜୁ ଜନତା ଦଳର ଦାବି ଓଡ଼ିଶା ବିଜେପି ମାନିନେଇଥିବା କହି କଟାକ୍ଷ କରିଛନ୍ତି ପ୍ରଣବ । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି, ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ କହିପାରୁନି ବିଜେପି
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ସମାନ କଥା କହି ବିଜେପିକୁ କଟାକ୍ଷ କରିଛନ୍ତି । ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ମଧ୍ୟ ତାଙ୍କ ଦଳ ତାଙ୍କ ନାଁ ବି ଘୋଷଣା କରୁନି ବୋଲି କହି କଟାକ୍ଷ କରିଥିଲେ । ଯଦି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ତେବେ ରାଜ୍ୟରେ ୧୦ ପ୍ରତିଶତ ଆସନ ବି ଜିତିପାରିବନି ବୋଲି କହି ଟାର୍ଗେଟ କରିଥିଲେ ପାଣ୍ଡିଆନ । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଚାରରେ ଆସି ବିଜେପି ଜଣେ ଓଡ଼଼ିଆ ପୁଅ କିମ୍ବା ଝିଅଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲେ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ କହିପାରୁ ନ ଥିବାବେଳେ ପ୍ରଣବ ଓ ସସ୍ମିତ ଆଜି ପୁଣି ବିଜେପି ନେତାଙ୍କୁ କଟାକ୍ଷ କରିଛନ୍ତି ।